କରୋନା ଭାବି ପାଖକୁ ଆସିଲେନି କେହି, ୧୨ ଘଣ୍ଟା ପଡ଼ି ରହିଲା ଶବ

ପୁଲିସ ସହାୟତାରେ ଶବ ସତ୍କାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନାରେ ମୃତ୍ୟୁ ହୋଇଛି କହି ସାହି ପଡିଶା କେହି ଶବ ବୋହିବା ପାଇଁ ଆସୁ ନଥିଲେ। ପରିବାର ଲୋକେ ମଧ୍ୟ ଭୟଭୀତ ଥିଲେ ଶବକୁ କାନ୍ଧ ଦେବା ପାଇଁ। ଫଳରେ ଦୀର୍ଘ ୧୨ ଘଣ୍ଟା ପଡି ରହିଲା ଶବ। ଏ ବିଷୟରେ ଖବର ପାଇ ବନହରପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକ ଲାଲ ବିହାରୀ ଷଣ୍ଢଙ୍କ ପରିବାରବର୍ଗଙ୍କୁ ନିଜସ୍ୱ ପିପିଇ କିଟ ପ୍ରଦାନ କରି ଶବ ସତ୍କାର କରାଇଛି। ସୂଚନା ଅନୁଯାୟୀ, ବନ୍ଧବାହାଲ ଶାନ୍ତିନଗର ଲାଲ ବିହାରୀ ଷଣ୍ଡଙ୍କ ପୁଅଙ୍କ କରୋନା ପଜିଟିଭି ଥିବାରୁ ସେ ହୋମ ଆଇସୋଲେସନରେ ଥିଲେ। ହେଲେ ଲାଲ ବିହାରୀ କୋଭିଡ ଟେଷ୍ଟ କରି ନଥିଲେ। ତେବେ ଗତକାଲି ରାତିରେ ଲାଲ ବିହାରୀ ଷଣ୍ଢଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କୁ କାଳେ କରୋନା ହୋଇଥିବା ଭାବି ସାହି ପଡିଶାର ଲୋକେ ପାଖକୁ ନ ଆସିବାସହ ପରିବାର ଲୋକେ ମଧ୍ୟ କାନ୍ଧ ଦେବାକୁ ଭୟ କରିଥିଲେ। ଫଳରେ ଲାଲ ବିହାରୀଙ୍କର ଶବ ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଘରେ ପଡି ରହିଥିଲା। ସ୍ଥାନୀୟ ଏସଏଚଜି ଗ୍ରୁପ ପକ୍ଷରୁ ଏନେଇ ପ୍ରଶାସନ ଓ ପୁଲିସକୁ ଖବର ଦିଆଯିବାପରେ ବନହରପାଲି ପୁଲିସ ପକ୍ଷରୁ ନିଜସ୍ୱ ପିପିଇ କିଟ୍ ଲାଲବିହାରୀଙ୍କ ପରିବାରବର୍ଗଙ୍କୁ ଯୋଗାଇ ଶବ ସତ୍କାର କରାଯାଇଛି।