ଯୁବକଙ୍କ ମୁଣ୍ଡ ଉପରେ ଗାଡ଼ି ଚଢାଇ ହତ୍ୟା !

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ଥାନା ଅନ୍ତର୍ଗତ ବେଲାପାହଡରୁ ସୁନ୍ଦରଗଡ଼ ଯାଇଥିବା ରାସ୍ତାରେ ଗ୍ରୀଣ୍ଡୋଲା ଜଙ୍ଗଲ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଯୁବକଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିବାପରେ ଫେରାର ହୋଇ ଯାଇଥିବା ପୁଲିସ ଅନୁମାନ କରୁଛି। ଘଟଣାସ୍ଥଳରେ ଯୁବକଙ୍କ ହାତଗୋଡ ବନ୍ଧା ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବାବେଳେ ତାଙ୍କର ମୁଣ୍ଡରେ ଚାରି ଚକିଆ ଅବା ଭାରିଯାନ ଚଢାଇ ହତ୍ୟା କରାଯାଇଛି । ଯୁବକଙ୍କ ହାତ ଓ ଗୋଡ଼ ଓ ମୁହଁ ବନ୍ଧା ଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରିଛି। ଶବ ପାଖରେ ତଥା ଯୁବକ ପିନ୍ଧିଥିବା ସାର୍ଟରେ କୌଣସି ଏକ ଯାନର ଟାୟାର ଚିହ୍ନ ରହିଛି। ଘଟଣାସ୍ଥଳରେ ବ୍ରଜରାଜନଗର ଏସଡିପିଓ ଦୀଲ୍ଲିପ ଦାସ, ଲଖନପୁର ଥାନା ଅଧିକାରୀ ପବିତ୍ର କିସାନ, ବେଲପାହାଡ ଥାନା ଅଧିକାରୀ ରଶ୍ମିତା ବେହେରା, ଓରିଏଣ୍ଟ ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠ, ପୁଲିସ ଦଳ ଓ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଯୁବକଙ୍କ ଫିଙ୍ଗର ପ୍ରିଣ୍ଟ, ରକ୍ତ ନମୁନା ସହ ବିଭିନ୍ନ ପ୍ରକାର ନମୁନା ସଂଗ୍ରହ କରି ଲେବ୍ରୋଟାରୀକୁ ପାଠାଯାଇଛି। ପୁଲିସ ଆଖପାଖ ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।