ଅଗଷ୍ଟ ୩୧ ପର୍ଯ୍ୟନ୍ତ ଚାଷୀ ପଞ୍ଜିକରଣ ଘୁଞ୍ଚାଇବାକୁ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଖରିଫ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ପଞ୍ଜିକରଣ ତାରିଖକୁ ଜୁଲାଇ ୩୧ରୁ ଅଗଷ୍ଟ ୩୧କୁ ଘୁଞ୍ଚାଇବା ପାଇଁ ଝାରସୁଗୁଡ଼ା ଜିଲ୍ଲା କୃଷକ ସଂଗଠନ ଓ ଜନ ସଂଗଠନ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ ଯୋଗୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। ଏହି ସମୟରେ ଜୁଲାଇ ୩୧ ମଧ୍ୟରେ ସେମାନେ ପ୍ରଧାନମନ୍ତ୍ରୀ ଫସଲ ଯୋଜନାର ସମସ୍ତ ନିୟମକୁ ଭଲ ଭାବରେ ବୁଝି ପଞ୍ଜିକରଣ କରିବା ସମ୍ଭବପର ନୁହେଁ। ଏଥିସହିତ ଚଳିତ ବର୍ଷର ବୀମା ଯୋଜନା ଚାଷୀଙ୍କ ପାଇଁ ହିତକାରୀ ନୁହେଁ। ଏଥିରେ ଥିବା ଅନେକ ନିୟମ ଚାଷୀଙ୍କର କ୍ଷତି କରିବ। ତେଣୁ ଏହି ବୀମା ପଞ୍ଜିକରଣକୁ ଘୁଞ୍ଚାଇବା ସହ ଗତବର୍ଷ ପରି ଫସଲ ବୀମା ଯୋଜନାକୁ ଲାଗୁ କରାଯାଉ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି।