ମାଲକାନଗିରିରୁ ୬୫ କରୋନା ସଂକ୍ରମିତ ଚିହ୍ନଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ପୁଣି ୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୦କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦ ଅଞ୍ଚଳରୁ ୩୫ଜଣ, ବାଲିମେଳା ଏନଏସିରୁ ୫ଜଣ, ମାଥିଲି ବ୍ଲକରୁ ୧୪ଜଣ, ଖଇରପୁଟ ବ୍ଲକରୁ ୨ ଜଣ, କାଲିମେଳା ବ୍ଲକରୁ ୩ଜଣ ଓ ଚିତ୍ରକୋଣ୍ଡା ବ୍ଲକରୁ ୬ଜଣ ରହିଛନ୍ତି। ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଅଞ୍ଚଳକୁ ଆଜି ରାତି ୯ଟାରୁ ଅଗଷ୍ଟ ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ହୋଟେଲ, ପନିପରିବା ଓ ଗ୍ରୋସରୀ ଦୋକାନୀ ଦୋକାନ ନଖୋଲିି ହୋମ ଡେଲିଭରି କରିପାରିବେ। ଏହି ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୦କୁ ବୃଦ୍ଧି ପାଇଛି। ଅନ୍ୟପଟେ ୨ଜଣଙ୍କର ମୃତ୍ୟୁ ଘଟିଛି, ୩୩୦ଜଣ ସୁସ୍ଥ ହୋଇଛନ୍ତି ଓ ୧୭୮ଜଣ ଚିକିତ୍ସିତ ହେଉଛନ୍ତି।