ପରିବା ବଜାର ସ୍ଥାନାନ୍ତର ଲାଗି ଉପଜିଲ୍ଲାପାଳଙ୍କୁ ଅନୁରୋଧ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ସାପ୍ତାହିକ ହାଟ ବସାଇବା ଲାଗି ପ୍ରଶାସନ ବାରଣ କରିବା ପରେ ପରିବା ବିକାଳିମାନେ କାଳ ମନ୍ଦିର ସମ୍ମୁଖରେ ବସି ପରିବା ବିକ୍ରି କରୁଛନ୍ତି। ଏନେଇ ବରିଷ୍ଠ ଆଇନଜୀବୀ ତାପସ ରାୟ ଚୌଧୁରୀ ଉପଜିଲ୍ଲାପାଳ ତଥା କୋଭିଡ ମାଜିଷ୍ଟ୍ରେଟ ଶିବ ଟପ୍ପୋଙ୍କ ଦୃଷ୍ଟି ଆକର୍ଷଣ କରି ପରିବା ବିକାଳୀମାନଙ୍କୁ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲ ନିକଟକୁ ସ୍ଥାନାନ୍ତର କରିବା ଲାଗି ଅନୁରୋଧ କରିଛନ୍ତି। ଶ୍ରୀ ଚୌଧୁରୀ କହିଛନ୍ତି ଯେ, କାଳୀ ମନ୍ଦିର ନିକଟରେ ଜନବସତି ଥିବାରୁ ଏଠାରେ ପରିବା ବଜାର ବସିଲେ କରୋନା ଦ୍ରୁତ ଗତିରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ପ୍ରଶାସନର କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ କୌଣସି ପର୍ବ ପାଳନ କରାନଯିବା ସାଙ୍ଗକୁ ଭକ୍ତମାନଙ୍କ ପାଇଁ ଭୋଗ ମଧ୍ୟ ପ୍ରସ୍ତୁତ କରାଯାଉନାହିଁ । ଏ ସମ୍ପର୍କରେ ପୂର୍ବରୁ ଝାରସୁଗୁଡାର ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଶ୍ରୀ ଚୌଧୁରୀ କହିଛନ୍ତି।