ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାରେ ଜୁଡିସିଆଲ୍ କୋର୍ଟର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଓକିଲ ସଂଘ ପକ୍ଷରୁ ଆୟୋଜିତ ‘ନ୍ୟାୟ ପ୍ରଦାନରେ ଆଇନଜୀବୀଙ୍କ ଭୂମିକା ଏବଂ ସାମାଜିକ ଜୀବନ’ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ନ୍ୟାୟପାଳିକାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ।
ଏହାସହ ଲୋକେ କୌଣସି କାରଣରୁ ବି ନ୍ୟାୟ ପାଇବାରୁ ଯେଭଳି ବଞ୍ଚିତ ନ ହେବେ ସେଥିପ୍ରତି ସମସ୍ତଙ୍କର ପ୍ରୟାସ ରହିବା ଜରୁରୀ ବୋଲି ମତ ରଖିଥିଲେ। ସେହିପରି ସାଂସଦ ସୁରେଶ ପୂଜାରୀ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ସଂସ୍କାର ଉପରେ ଗୁରୁତ୍ୱାରୋପ କରିବା ସହ ସମାଜର ସବୁଠାରୁ ନିମ୍ନସ୍ତରର ବ୍ୟକ୍ତି କିଭଳି ଉପଯୁକ୍ତ ନ୍ୟାୟ ପାଇବ ସେଥିପ୍ରତି ଆଇନଜୀବୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନର ମୂଳଦୁଆ ଝାରସୁଗୁଡ଼ାରେ ପଡ଼ୁ ବୋଲି ସାଂସଦ କହିଛନ୍ତି। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସରୋଜ ସାମଲ ଯୋଗଦେଇ ଧାଡ଼ିର ଶେଷରେ ଛିଡ଼ା ହୋଇଥିବା ବ୍ୟକ୍ତିକୁ ନ୍ୟାୟ ପ୍ରଦାନ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଆଇନଜୀବୀଙ୍କ ଧ୍ୟେୟ ହେଉ ବୋଲି କହିଥିଲେ।