ଗୁଣପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥାନୀୟ ତହସିଲରେ ବହୁ ଦିନ ଧରି ଅତିରିକ୍ତ ତହସିଲଦାର ପଦବି ଖାଲି ପଡିଥିବାରୁ ଶୀଘ୍ର ନିଯୁକ୍ତି ଦେବାକୁ ଗୁଣପୁର ଓକିଲ ସଂଘ ଦାବି କରିଛି । ସଂଘ ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ନିକଟକୁ ଦାବି ପତ୍ର ପଠାଯାଇଛି ।
ଗୁଣପୁର ତହସିଲରେ ଅଚଳାବସ୍ଥା ଯୋଗୁଁ ଦୀର୍ଘ ଦିନ ହେଲା ଅନେକ ସମସ୍ୟା ପଡିରହିଛି। ତହସିଲଦାରଙ୍କ ବଦଳି ଅର୍ଡର ବାହାରିବାର ମାସକ ପରେ ମଧ୍ୟ ଏଠି ନୂଆ ତହସିଲଦାରଙ୍କ ଦେଖା ମିଳିନାହିଁ। ଫଳରେ ବିଭିନ୍ନ ପ୍ରମାଣପତ୍ର ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ବିଭିନ୍ନ କାମ ହୋଇପାରୁନାହିଁ। ରାମନାଗୁଡ଼ାର ଜଣେ ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା କାମଚଳା ଭାବରେ ତହସିଲ ଚାଲିଛି । ଆଗକୁ ପୁଣି ରାଜସ୍ୱ ଆଦାୟର ସମୟ ଆସୁଥିବାରୁ ଏଠାରେ ତହସିଲଦାର, ଅତିରିକ୍ତ ତହସିଲଦାର, କିରାଣି, ଆରଆଇ, ଏଆରଆଇ, ଅମିନ ଭଳି ସବୁ ପଦବିରେ ମରୁଡି ଦେଖାଯାଇଛି । ଫଳରେ କୌଣସି କାମ ହୋଇପାରୁନି। ଜଣେ କର୍ମଚାରୀ ଚାରି ପାଞ୍ଚଟି ଦାୟିତ୍ୱ ନେଇ ନୟାନ୍ତ ହୋଇ ପଡ଼ୁଛନ୍ତି। କୌଣସି କାମ ଠିକ୍ ରେ ହୋଇପାରୁନି । ଏସବୁ ସମସ୍ୟା ଉଲ୍ଲେଖ କରାଯାଇ ଓକିଲ ସଂଘ ପକ୍ଷରୁ ଦାବିପତ୍ର ପଠାଯାଇଛି ।