ଚାଷୀ ସମସ୍ୟା ସମାଧାନ ଦାବି ନେଇ ବିଜେପିର ଗଣଧାରଣା

ବରଗଡ଼, ଏନ୍ଏନ୍ଏସ୍: ମଣ୍ଡିରେ ପଡିଥିବା ଧାନକୁ ତୁରନ୍ତ ଉଠାଯିବା ସହ କଟନୀ ଛଟନୀ ବନ୍ଦ କରାଯିବା ଦାବି ନେଇ ଆଜି ବରଗଡ଼ ଜିଲ୍ଲା ବିଜେପି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଚିଳତ ଖରିଫରେ ଅକାମୀ ହୋଇଥିବା ସମସ୍ତ ଟୋକନକୁ ପୁନଃ କାର୍ଯ୍ୟକ୍ଷମ, ଅଣଜଳସେଚିତ ଜମିରୁ ୧୩ ଏବଂ ଜଳସେଚିତ ଜମିରୁ ୧୯ କ୍ୱିଣ୍ଟାଲ ଧାର୍ଯ୍ୟ ସୀମାକୁ ବନ୍ଦ କରି ସମସ୍ତ ଉତ୍ପାଦିତ ଧାନକୁ ସରକାରଙ୍କ ଦ୍ୱାରା କିଣାଯିବା, ଟୋକନ ବ୍ୟବସ୍ଥା ସଂପୂର୍ଣ୍ଣ ଉଚ୍ଛେଦ , କେଉଁ ଜିଲ୍ଲାରୁ କେତେଧାନ କିଣାଯାଉଛି ତାହା ଜିଲ୍ଲା ଡିଏଲପିସି ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ଏବଂ କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ତୁରନ୍ତ ପଠାଯିବାକୁ ବିଜେପି ତରଫରୁ ଦାବି କରାଯାଇଥିଲା ।

ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ଶତାଧିକ ଚାଷୀ ସାମିଲ ହୋଇଥିଲେ । ଅତିରିକ୍ତ ଜିଲ୍ଲାପାଲ ମିର୍ଦ୍ଧା ଟପ୍ପୋ ଏବଂ ସିସିଏସଓ ରଜନୀକାନ୍ତ ଦାସ ଆନ୍ଦୋଳନରତ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଆଗାମୀ ୨ ତାରିଖ ମଧ୍ୟରେ ବରଗଡ଼ ଜିଲ୍ଲାର ସମସ୍ତ ମଣ୍ଡିରେ ଥିବାଧାନ ଉଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ବରିଷ୍ଠ ବିଜେପି ନେତା ସୁଶାନ୍ତ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ ଦାସ, କୁଶ କୁମ୍ଭାର, ଅମିତ ପଣ୍ଡା, ପରୀକ୍ଷିତ ଛତର , ଯୁଧିଷ୍ଠୀର ମେହେରଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।