ପୌରନିର୍ବାଚନ ପାଇଁ ତତ୍ପରତା ଦେଖାଇଲା ବିଜେଡି

ପ୍ରତ୍ୟେକ ବୁଥରେ ୧୦ ପୁରୁଷ ୫ ମହିଳାଙ୍କୁ ନେଇ ଗଠିତ ହେବ କମିଟି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଗାମୀ ପୌର ନିର୍ବାଚନକୁ ନେଇ ଝାରସୁଗୁଡ଼ା ବିଜେଡିରେ ତତ୍ପରତା ଦେଖା ଦେଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନେତୃତ୍ୱରେ ବିଜେଡି ନିଜର ସଙ୍ଗଠନକୁ ଆହୁରି ମଜବୁତ କରିବାସହ ପୌରନିର୍ବାଚନ ଜିତିବା ପାଇଁ ଯୋଜନା ପ୍ରସ୍ତୁତି କରିଛି। ଏନେଇ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଦାସଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ା ବିଜେଡି କାର୍ଯ୍ୟାଳୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରୀ ଦାସ ୱାର୍ଡ ୧ରୁ ୧୨ ପର୍ଯ୍ୟନ୍ତ ସମସ୍ତ ୱାର୍ଡର କର୍ମୀଙ୍କ ସହ ଆଲୋଚନା କରିଥିବାବେଳେ ଆସନ୍ତାକାଲି ଆହୁରି ୧୨ଟି ୱାର୍ଡର କର୍ମୀଙ୍କ ସହ ଆଲୋଚନା କରିବେ।

ଆଜିର ବୈଠକରେ କର୍ମୀମାନଙ୍କୁ ପ୍ରତ୍ୟେକ ବୁଥରେ ୧୦ ଜଣ ପୁରୁଷ ଓ ୫ ଜଣ ମହିଳାଙ୍କୁ ନେଇ ଗୋଟିଏ ଲେଖାଏଁ ବୁଥ କମିଟି ତିଆରି କରି ଝାରସୁଗୁଡା, ଝାସୁଗୁଡାବାସୀ ତଥା ସଂଗଠନର ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଆଗାମୀ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତ ହେବା ସହ ପ୍ରତି ୱାର୍ଡରେ ଲୋକଙ୍କ ସମସ୍ୟା ସମାଧାନ ଓ ବିକାଶ କାର୍ଯ୍ୟକୁ ହାତକୁ ନେଇ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଦୀପାଳି ଦାସ, ତାପସ ରାୟ ଚୌଧୁରୀ, ସନ୍ଦୀପ ଅୱସ୍ଥି, ପିଂଟୁ ପାଢୀ, ହରିଶ ଗଣତ୍ରା, ରଘୁମଣି ପଟେଲ, ତ୍ରିନାଥ ଗୁଆଲ, ରାଜୁ ପାଣିଗ୍ରାହୀ, ପ୍ରତାପ ନନ୍ଦ, ମଦନ ହାତୀ, ଅଶୋକ ଦାସ ପ୍ରଶାନ୍ତ ଜେନା ପ୍ରମୁଖଙ୍କ ସହ ଜିଲ୍ଲା ବିଜେଡିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।