ଝାରସୁଗୁଡାରେ ପୁଣି ୭ ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଆଜି ପୁଣି ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ, ବେଲପାହାଡ଼ ପୌରପରିଷଦ, ଝାରସୁଗୁଡା ବ୍ଲକ, ଲଖନପୁର ବ୍ଲକ ଓ କିର୍ମିରା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି  ଆଉ ୨ ଜଣ ବ୍ୟକ୍ତି ବାହାର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ବ୍ରଜରାଜନଗର ପୌରପରିଷଦ ଲଇକେରା ବ୍ଲକ, କୋଲାବିରା ବ୍ଲକ ଅଞ୍ଚଳରୁ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇ ନଥିବା ଜିଲ୍ଲାପ୍ରଶାସନ ସୂଚନା ଦେଇଛି। ପ୍ରକାଶଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୩ଶହ ୬୦କୁ ପହଞ୍ଚିଥିବାବେଳେ ୭ ହଜାର ୨ଶହ ୨୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୦ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୬ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।