ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୪୫୯୨ ସ୍ୱାସ୍ଥ୍ୟକର୍ମୀ ନେବେ କୋଭିଡ ଟିକା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ କୋଭିଡ ଟିକା ପଲସ୍ ପୋଲିଓ ଟୀକାକରଣ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଛି। ଏହି ବୈଠକରେ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଦେବାକୁଥିବା କୋଭିଡ଼ ଟିକା ଉପରେ ଚର୍ଚ୍ଚା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କୋଭିଡ ଟିକା ଉଭୟ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ୪ ହଜାର ୫ଶହ ୯୨ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ପ୍ରଦାନ କରାଯିବା ନେଇ ରେଜିଷ୍ଟ୍ରେସନ କରାଯାଇଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଟିକା ପ୍ରଦାନ କରାଯିବାନେଇ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜାରି ରହିଛି। ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ।

ଏହି ଟିକା ବିଭିନ୍ନସ୍ଥାନରେ କାଉଣ୍ଟର କରି ଉପଲବ୍ଧ କରାଯିବ। ଟିକା ନେବା ଲୋକ ତାଙ୍କ ରେଜିଷ୍ଟ୍ରେସନ ନମ୍ବର ଦେଖାଇବେ। ଠିକ୍ ସେହିପରି ଆସନ୍ତା ଜାନୁଆରୀ ୧୭ ରୁ ୧୯ ତାରିଖ ଯାଏ ଶୂନ୍ୟରୁ ୫ ବର୍ଷ ଯାଏ ସମସ୍ତ ଶିଶୁଙ୍କୁ ପୋଲିଓ ଟୀକା ପ୍ରଦାନ କରାଯିବ। ୧୭ ତାରିଖରେ କାଉଣ୍ଟରରେ ପୋଲିଓ ଟୀକା ଦିଆଯିବ ଓ ୧୮-୧୯ ଦୁଇଦିନ ଘରଘର ବୁଲି ଟିକା ପ୍ରଦାନ କରାଯିବ। ଜିଲ୍ଲାରେ ୪୮ ହଜାର ଟିକା ଦିଆଯିବାର ନିଷ୍ପତି ନିଆଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସରୋଜ ସାମଲ, ପିଡ଼ି ତପିରାମ ମାଝୀ, ଉପଜିଲ୍ଲାପାଳ ଶିବ ଟପ୍ପୋ, ଝାରସୁଗୁଡ଼ା ଏସପି ରାହୁଲ ପିଆର, ସିସିଏମଓ ଡ଼ା. ଜଗଦୀଶ ଚନ୍ଦ୍ର ବାରିକ, ଏଡ଼ିଏମଓ ସୁପ୍ରଭା ବାରିକ, ବିଶ୍ୱ ବ୍ୟାଙ୍କ ଡ଼ା.ଅବନୀ ନାଥ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।