ସ୍ୱଳ୍ପ ବର୍ଷାରେ ସିରାଗୁଡ଼ା ରାସ୍ତା ବେହାଲ

ଝରିଗାଁ,ଏନ୍ଏନ୍ଏସ୍: ସାମାନ୍ୟ ବର୍ଷାରେ ବେହାଲ ସାହି ରାସ୍ତା। ସାହିରୁ ବାହାରିବା ପାଇଁ ଏହା ମୁଖ୍ୟରାସ୍ତା ହୋଇଥିବାରୁ ସାହିବାସୀ ବହୁ ହଇରାଣ ହେଉଛନ୍ତି। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତାରେ ପାଣି ଜମି ରହୁଛି। ଏନେଇ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି ଝରିଗାଁ ବ୍ଲକ ସଦର ମହକୁମାର ସିରାଗୁଡା ସାହି ବାସିନ୍ଦା।
ସୂଚନା ଅନୁଯାୟୀ, ଗତ କିଛିବର୍ଷ ତଳେ ସିରାଗୁଡ଼ା ମେଡିକାଲ ନିକଟସ୍ଥ ସାହିରେ ପ୍ରଶାସନ ପକ୍ଷରୁ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା। ହେଲେ ରାସ୍ତା କାମ ନିମ୍ନମାନର ହୋଇଥିବାରୁ ରାସ୍ତା ମଝିରେ ପାଣି ଜମି ରହୁଛି। ଏହି ସାହିରେ ୩୦ ପରିବାର ବସବାସ କରନ୍ତି। ଅନ୍ୟପଟେ ସାହି ମୁଣ୍ଡରେ ଏକ ନଳକୂପ ରହିଥିବାବେଳ ତାହା ମଧ୍ୟରେ ମଇଳା ପାଣି ପଶିବାସହ ଚାନ୍ଦିନୀଟି ପୋତି ହୋଇଯାଇଛି। ପାଣି ଜମି ରହିବା ଯୋଗୁଁ ମଶା ଓ ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବହୁବାର ପ୍ରଶାସନ ନିକଟରେ ଗୁହାରୀ କରିବାପରେ ମଧ୍ୟ ସମାଧାନ ହେଉନଥିବାରୁ ସାହିବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।