ଶୋଚନୀୟ ଅବସ୍ଥାରେ ଝାଡେଶ୍ୱରପୁର ଗ୍ରାମ ରାସ୍ତା, ପ୍ରଶାସନର ଦୃଷ୍ଟି ପଡିବ କେବେ?

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକର ଭଦ୍ରେଶ୍ୱର ପଞ୍ଚାୟତର ଝାଡେଶ୍ୱରପୁର ଗ୍ରାମର ୮ ନମ୍ବର କେନାଲ ଠାରୁ ମିଶ୍ର ସାହି, ପଣ୍ଡା ସାହି, ପରିଡା ସାହି ଓ ସାମଲ ସାହିକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏହି ରାସ୍ତାଟି ୧୯୯୯ ମସିହା ମହାବାତ୍ୟା ପରେ ଢଳେଇ କରାଯାଇଥିଲା। ବର୍ତ୍ତମାନ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ସାମାନ୍ୟ ବର୍ଷାରେ ରାସ୍ତା କଡ଼ରେ ଥିବା ବିଲରେ ପାଣି ଭର୍ତ୍ତି ହୋଇ ରାସ୍ତାରେ ପାଣି ଚାଲୁଛି। ଫଳରେ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟରେ ହୋଇପଡୁଛି।

ଶାସକ ଦଳ ମାହାଙ୍ଗାର ସର୍ବାଙ୍ଗୀନ ଉନ୍ନତି କଥା କହୁଥିବା ବେଳେ ଏହି ଢଳେଇ ରାସ୍ତା ମରଣ ଯନ୍ତ୍ରା ପାଲଟିଛି। ସାଇକେଲ ଖଣ୍ଡେ ଯିବା ଅସମ୍ଭବ। ମନରେଗା କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଏହି ରାସ୍ତା ଉପରେ କାହାରି ଦୃଷ୍ଟି ପଡୁନାହିଁ। ଏଥିସହିତ ଝାଡେଶ୍ୱରପୁର ଗ୍ରାମର ବହୁ ଢଳେଇ ରାସ୍ତା ନିମ୍ନମାନର କାମ ଯୋଗୁଁ ଶୋଚନୀୟ ହୋଇ ପଡିଥିବା ଅଭିଯୋଗ ମଧ୍ୟ ହୋଇଛି। ତୁରନ୍ତ ଏହି ରାସ୍ତାର ମରାମତି କରିବା ପାଇଁ ସରକାର ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହୋଇଛି।