ଧର୍ମ ନାଁରେ ଲୋକଙ୍କୁ ଲଢ଼ାଇବା ହିନ୍ଦୁତ୍ୱ ନୁହେଁ: ମେହେବୁବା ମୁଫତୀ

ନୂଆଦିଲ୍ଲୀ: ପିପୁଲ୍ସ ଡେମୋକ୍ରେଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତୀ ବିଜେପି ଓ ଆରଏସଏସର କଡ଼ା ସମାଲୋଚନା କରିଛନ୍ତି। ମୁଫତୀ କହିଛନ୍ତି ଯେ, ବିଜେପି ଓ ଆରଏସଏସ ଯେଉଁ ପାଠ ଭାରତକୁ ପଢ଼ାଉଛନ୍ତି ତାହା ହିନ୍ଦୁତ୍ୱ ନୁହେଁ। ହିନ୍ଦୁ ଧର୍ମ ସନାତନ ଧର୍ମ ଅଟେ ଯାହାକି ଧର୍ମନିରପେକ୍ଷତା ଶିଖାଇଥାଏ। ବିଜେପି, ଜନସଂଘ ଓ ଆରଏସଏସ ଧର୍ମ ନାଁରେ ଲୋକଙ୍କୁ ଲଢ଼ାଇବାକୁ ଚାହୁଁଛନ୍ତି। ଏହି ପାର୍ଟି ହିନ୍ଦୁତ୍ୱକୁ ହାଇଜ୍ୟାକ କରି ନେଇଛନ୍ତି। ଏମାନଙ୍କୁ ଲାଗୁଛି ହିନ୍ଦୁତ୍ୱ ହେଉଛି ବିଜେପି କିନ୍ତୁ ଏମିତି କିଛି ନୁହେଁ। ହିନ୍ଦୁ ଓ ସନାତନ ଧର୍ମ ଆମକୁ ବସୁଧୈବ କୁଟୁମ୍ବକମ୍ ଶିଖାଇଥାଏ ଯାହାର ଅର୍ଥ ସମଗ୍ର ବିଶ୍ୱ ଗୋଟିଏ ପରିବାର।

ମେହେବୁବା ମୁଫତୀ କହିଛନ୍ତି ଯେ, ଏମିତି ପାର୍ଟିକୁ ଆଇଏସଆଇଏସ ସହିତ ତୁଳନା କରାଯାଇପାରିବ। କାହିଁକି ନା ଏହି ପାର୍ଟି ହିନ୍ଦୁ ଓ ମୁସଲମାନଙ୍କୁ କେବଳ ପରସ୍ପର ମଧ୍ୟରେ ଲଢ଼ାଇବାକୁ ଚାହୁଁଛି। ଯିଏ ଧର୍ମ ନାଁରେ ହିଂସା କରାଉଛନ୍ତି ସେମାନଙ୍କୁ ଆଇଏସଆଇଏସ ଭଳି ଅନ୍ୟ ସଂଗଠନ ସହ ଛିଡ଼ା କରାଯାଇପାରିବ।