ସୁସ୍ଥ ହେଲେ ଅଭିନେତା ଅର୍ଜୁନ କପୁର

ମୁମ୍ବାଇ,ଏଜେନ୍ସି: ସେପ୍ଟେମ୍ବର ୬ରେ ବଲିଉଡ୍ ଅଭିନେତା ଅର୍ଜୁନ କପୁର କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଅଭିନେତାଙ୍କ କରୋନା ଭାଇରସ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବାରୁ ସେତେବେଳେ ଅର୍ଜୁନ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ତାଙ୍କର କରୋନା ଭାଇରସ୍‌ର କୌଣସି ଲକ୍ଷଣ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ବୋଲି କହିଥିଲେ ଅର୍ଜୁନ । ତେବେ ମାସେ ପରେ ସେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଥିବା ଜଣାଇଛନ୍ତି । ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।

ଅର୍ଜୁନ ଲେଖିଛନ୍ତି ଯେ, ମୁଁ ଏବେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି । ମୋର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ପୁଣି ଥରେ କାମ ଆରମ୍ଭ କରିବାକୁ ଯାଉଥିବାରୁ ବହୁତ ଖୁସି । ସମସ୍ତଙ୍କ ଶୁଭେଚ୍ଛା, ପ୍ରାର୍ଥନା ଏବଂ ଆଶୀର୍ବାଦ ପାଇଁ ଅଶେଷ ଅଶେଷ ଧନ୍ୟବାଦ । ଏହି ଭୂତାଣୁ ଅତ୍ୟନ୍ତ ମାରାତ୍ମକ । ଏହାକୁ ଗମ୍ଭୀରତାର ସହ ନିଅନ୍ତୁ । ସବୁବେଳେ ମାସ୍କ ପିନ୍ଧନ୍ତୁ । ଯେଉଁ କରୋନା ଯୋଦ୍ଧାମାନେ ଆଗରେ ରହି ଆମକୁ ସୁରକ୍ଷା ଦେଉଛନ୍ତି, ସେମାନଙ୍କୁ ମୁଁ ସଲାମ କରୁଛି । ଆମେ ତୁମ ପାଖରେ ଚିରରୁଣୀ ହୋଇ ରହିବୁ ।