ନଦୀରେ ବୁଡି ଦିଅର-ଭାଉଜ ମୃତ

ଜୟପୁର,ଏନ୍ଏନ୍ଏସ୍ : ନଦୀରେ ବୁଡି ଦିଅର -ଭାଉଜ ମୃତ। ଏଭଳି ଅଭାବନୀୟ ଘଟଣା, କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଘଟିଛି। ବିରି ନଦୀରେ ବୁଡି ଘୁମର ପଂଚାୟତ କଳାପଡା ଗ୍ରାମର ଚୈତୁ ପରଜା(୪୫) ଓ ଜଲବା ପରଜା(୫୩) ମୃତ୍ୟୁବରଣ କରିଛନ୍ତି। ଉଭୟଙ୍କ ମୃତଦେହ ବୈପାରିଗୁଡା ଅଗ୍ନୀଶମ ବିଭାଗ ଦ୍ୱାରା ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, କଳାପଡା ଗ୍ରାମର ଚୈତୁ ପରଜା, ପତ୍ନୀ ଓ ଭାଉଜ ଜଲବା ପରଜା ମଶି ଗାଁ’ ପଂଚାୟତର ଗଲରିଗୁଡାକୁ ଯାଇ ସୋମବାର ସନ୍ଧ୍ୟାରେ ଘରକୁ ଫେରୁଥିଲେ। ପକ୍କା ରାସ୍ତାରେ ଗଲେ ଦୂର ବାଟ ହେବ ଭାବି ସେମାନେ ବିରି ନଦୀ ପାରି ହୋଇ ପାଦଚଲା ରାସ୍ତାରେ ଫେରୁଥିଲେ। ବର୍ଷା ହେତୁ ନଦୀରେ ଅଧିକ ପାଣି ଥିବାରୁ ଚୈତୁ ଓ ଭାଉଜ ଜଲବା ବୁଡି ଯାଇଥିବାବେଳେ କୌଣସି ପ୍ରକାରେ ଚୈତୁର ସ୍ତ୍ରୀ କୂଳରେ ପହଂଚିଥିଲେ ଓ ଡେଙ୍ଗାକୁସୁମଗୁଡା ଗ୍ରାମବାସୀଙ୍କୁ ଜଣାଇଥିଲେ।

ଡେଙ୍ଗାକୁସୁମଗୁଡା ଗ୍ରାମବାସୀ ଠାରୁ ସୂଚନା ପାଇଁ ବୈପାରିଗୁଡା ପୁଲିସ ଅଗ୍ନୀଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଚୈତୁ ଓ ଜଲବାର ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।