ରଥଯାତ୍ରାକୁ ନେଇ ବଢୁଛି ବିବାଦ

କଟକ,ଏନ୍ଏନ୍ଏସ୍ : ରଥଯାତ୍ରାକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି। ହାଇକୋର୍ଟ ପରେ ମାମଲା ସୁପ୍ରିମକୋର୍ଟରେ ପହଁଚି ସାରିଥିବାରୁ ଏବେ ସର୍ବୋଚ୍ଚ ଅଦାଲତ ଉପରେ ସମସ୍ତଙ୍କର ନଜର। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ଆସନ୍ତା ୧୮ ତାରିଖରେ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ରୁଜୁ ମାମଲାର ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଏହି ଦିନ ସୁପ୍ରିମକୋର୍ଟରେ ରଥଯାତ୍ରା ବନ୍ଦ ଏବଂ ରଥଯାତ୍ରା କରିବାକୁ ପୃଥକ ପୃଥକ ମାମଲାର ଶୁଣାଣି ହେବା ସହିତ ମୂଳ ମାମଲା ଏବଂ ଉପରୋକ୍ତ ପ୍ରସଙ୍ଗରେ ପକ୍ଷଭୁକ୍ତ ହେବାକୁ ଆବେଦନ ଦାଖଲ କରାଯାଇଥିବା ଅନ୍ୟ ଦୁଇଟି କ୍ୟାଭିଏଟ୍ ପିଟିସନର ମଧ୍ୟ ଶୁଣାଣି ହେବ।

ସୂଚନାଥାଉକି, ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ଚଳିତବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରଥଟଣା ସମୟରେ ଭିଡ କମାଇବାକୁ ବିକଳ୍ପ ବ୍ୟବସ୍ଥା ପ୍ରସଙ୍ଗରେ ହାତୀ ଅଥବା ମେସିନ୍ ଦ୍ୱାରା ରଥ ଟାଣିବା ଉପରେ ବିଚାର କରିବାକୁ ହାଇକୋର୍ଟ ପ୍ରଦାନ କରିଥିବା ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏକ ସ୍ପେସାଲ୍ ଲିଭ୍ ପିଟିସନ ରୁଜୁ କରି ଓଡ଼ିଶା ହାଇକୋର୍ଟଙ୍କ ଉକ୍ତ ରାୟକୁ ଚାଲେଞ୍ଜ କରିଛନ୍ତି । ତାଙ୍କ ଆବେଦନରେ ଶ୍ରୀ ପାଣିଗ୍ରାହୀ ଦର୍ଶାଇଛନ୍ତି ଯେ ରଥ ଟାଣିବା ପ୍ରସଙ୍ଗରେ ବିକଳ୍ପ ବ୍ୟବସ୍ଥା ନେଇ ହାତୀ ଅଥବା ମେସିନ୍ ଦ୍ୱାରା ରଥ ଟାଣିବା ଉପରେ ବିଚାର କରିବାକୁ ହାଇକୋର୍ଟ ପ୍ରଦାନ କରିଥିବା ରାୟ ଆଇନ ସମ୍ମତ ନୁହେଁ। ଏହା କଲେ ଜଗନ୍ନାଥ ସଂସ୍କୃତିର ଉଲଂଘନ ହେବା ସହ ଏପିଡେମିକ୍ ଆକ୍ଟ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଆଇନର ମଧ୍ୟ ଉଲଂଘନ ହେବ। ଏଣୁ ସର୍ବୋଚ୍ଚ ଅଦାଲତ ରଥଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ ଓଡିଶା ବିକାଶ ପରିଷଦ ପକ୍ଷରୁ ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆଉ ଏକ ଏକ ରିଟ୍ ପିଟିସନ୍ ଦାଖଲ କରାଯାଇଛି। ଏହି ରିଟ୍ ପିଟିସନରେ ରଥଯାତ୍ର ବନ୍ଦ କରିବାକୁ ପ୍ରାର୍ଥନା କରାଯାଇଛି। ଏଥିରେ କୁହାଯାଇଛି ଯେ ବର୍ତମାନ କରୋନା ସଂକ୍ରମଣ ବହୁଳ ଭାବେ ବୃଦ୍ଧି ପାଉଛି। ଏପରିସ୍ଥିତିରେ ରଥଯାତ୍ରା ବନ୍ଦ କରିବା ଜରୁରୀ ହୋଇପଡିଛି। ତେବେ ଓଡିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ରିଟ୍ ପିଟିସନ୍ ମାମଲାରେ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଂଚ ପକ୍ଷରୁ ଏକ ଇଂଟରଭେନିଂ ପିଟିସନ୍ ଦାଖଲ ହୋଇଛି। ଏହି ଇଂଟରଭେନିନଂ ପିଟିସନରେ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଂଚ ପକ୍ଷଭୁକ୍ତ ହେବାକୁ ଆବେଦନ କରିଛି। ପିଟିସନରେ ଆବେଦନକାରୀ ମାମଲାର ପ୍ରତିପକ୍ଷ ହେବାକୁ ପ୍ରାର୍ଥନା କରିଥିଲେ। ଅଦାଲତ ମାମଲାର ଶୁଣାଣି କରି ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତି ନେବେ ବୋଲି କହିଥିଲେ।