ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣା, ଜଣେ ମୃତ

କଟକ,ଏନ୍ଏନ୍ଏସ୍: ଦୁର୍ଘଟଣା ଗସ୍ତ ହେଲା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର । ଏକ ବାଇକ ସହ ରାଣୀ ପଣ୍ଡା କାର ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଠଗଡ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ରାଜନଗର ଗ୍ରାମର ସୁକାନ୍ତ ବେହେରା ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାଣୀ ପଣ୍ଡା ଏକ ବିବାହ ଭୋଜିରେ ସାମିଲ ହେବା ପାଇଁ ଅନୁଗୋଳ ଯାଇଥିଲେ । ସେଠାରୁ ସାତମାଇଲ ନିକଟରେ ଥିବା ଦୁଦୁରୁକୋଟ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିଲେ । ଏହି ସମୟରେ ଆଠଗଡ଼ ମୁଣ୍ଡଳୀ ରାସ୍ତା ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଏକ ବାଇକ ସହ ତାଙ୍କ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ସୁକାନ୍ତ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସୁକାନ୍ତଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭରକୁ ଆଠଗଡ ଥାନାକୁ ନେଇ ଆସିଥିବା ଆଠଗଡ ଉପଖଣ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ରାଣୀ ପଣ୍ଡାଙ୍କ ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।