ଆଜି ଦେଶବ୍ୟାପୀ କୃଷକ ସଂଗଠନର ପଦଯାତ୍ରା

ନୂଆଦିଲ୍ଲୀ,ଏଜେନ୍ସି: ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ଏକାଠି ହେଲା କୃଷକ ସଂଗଠନ । ଆଜି ଦେଶବ୍ୟାପୀ କୃଷକ ସଂଗଠନ ରାଜଭବନକୁ ପଦଯାତ୍ରା କରିବେ । ତିନି କୃଷି ଆଇନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦୁଇ ବର୍ଷ ପୂରଣ ହୋଇଛି । କିନ୍ତୁ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ହୋଇନଥିବା ଦାବି କରି ଆଜି ଦେଶବ୍ୟାପୀ ରାଜଭବନ ପଦଯାତ୍ରା କରିବେ ଚାଷୀ । ଏନେଇ ଶୁକ୍ରବାର କୃଷକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

କୃଷକ ନେତାମାନେ ଅଭିଯୋଗ କରିଛନ୍ତି, ତିନୋଟି ବିବାଦୀୟ କୃଷି ଆଇନ ହଟିବା ପରେ ଚାଷୀଙ୍କ ଦାବି ପୂରଣ ନେଇ ଆଲୋଚନା ହେବ ବୋଲି ସରକାର ଲିଖିତ ଆକାରରେ ପ୍ରତିଶୃତି ଦେଇଥିଲେ । ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ପାଇଁ ଆଇନ ଅଣାଯିବ । କିନ୍ତୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।

ସଂଯୁକ୍ତ କିଷାନ ମୋର୍ଚ୍ଚା ନେତା ହାନ୍ନନ ମୋଲ୍ଲା ଗଣମାଧ୍ୟମକୁ କହିଛନ୍ତି, ‘‘ଚାଷୀଙ୍କ ଅନେକ ଦାବିକୁ ସରକାର ସହମତି ପ୍ରକାଶ କରିଥିଲେ ମଧ୍ୟ ତାର ପ୍ରତିଶୃତି ପୂରଣ ହୋଇନାହିଁ । ଯିଏ ଚାଷୀଙ୍କ ସହ ପ୍ରତାରଣା କରୁଛି, ସେ ଦେଶଦ୍ରୋହୀ ଯାହାକୁ ସରକାର ପ୍ରମାଣିତ କରିଛନ୍ତି । ଏଠାରେ କର୍ପୋରେଟରଙ୍କୁ ସୁରକ୍ଷା ଦିଆଯାଉଛି । ପ୍ରମାଣିତ ହୋଇଛି ଯେ, ଚାଷୀଙ୍କ ଦାବି ପୂରଣ ହେବନାହିଁ ।” ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଲୋକଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଫଳରେ ଚାଷୀ ସଂଗଠନ ପୁଣି ଆନ୍ଦୋଳନ ଆରମ୍ଭ କରିଛି । ଶନିବାର ସାରା ଦେଶରେ ବିଶାଳ ପଦଯାତ୍ରା ଅନୁଷ୍ଠିତ ହେବ । କୃଷକମାନେ ନିଜ ନିଜ ରାଜ୍ୟର ରାଜ ଭବନକୁ ପଦଯାତ୍ରା କରି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ ।

ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର ହଜାର ହଜାର କୃଷକ ଏକ ବର୍ଷ ଧରି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରି ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ନଭେମ୍ବର ୨୦୨୧ରେ କେନ୍ଦ୍ର ସରକାର ତିନୋଟି ଆଇନକୁ ହଟାଇବା ପରେ ଚାଷୀମାନେ ମଧ୍ୟ ଆନ୍ଦୋଳନରୁ ଓହରିଥିଲେ । ଆନ୍ଦୋଳନକାରୀଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ପ୍ରତ୍ୟାହାର ହୋଇନଥିବା କୃଷକ ସଂଗଠନ ଦାବି କରିଛି । ଚାଷୀଙ୍କ ଦାବି ପୂରଣ କରିବାକୁ ସରକାରଙ୍କ କୌଣସି ଉଦ୍ଦେଶ୍ୟ ନାହିଁ । ତେଣୁ ଆନ୍ଦୋଳନର ଆବଶ୍ୟକତା ରହିଥିବା କୃଷକ ସଂଗଠନ କହିଛି ।