ବ୍ରାଜିଲର ୨ଟି ସ୍କୁଲରେ ଗୁଳିକାଣ୍ଡ: ୩ ମୃତ, ୧୧ ଆହତ

ବ୍ରାସିଲିଆ,ଏଜେନ୍ସି: ବ୍ରାଜିଲର ୨ଟି ସ୍କୁଲରେ ଗୁଳିକାଣ୍ଡ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ସୂଚନା । ଏନେଇ ଶୁକ୍ରବାର ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଏସପିରିଟୋ ସାଣ୍ଟୋର ଗଭର୍ଣ୍ଣର ।

ସୂଚନାଅନୁସାରେ, ବନ୍ଧୁକଧାରୀ ଜଣକ ସେମି ଅଟୋମେଟିକ ବନ୍ଧୁକ ସହ ସ୍କୁଲରେ ଗୁଳିକାଣ୍ଡ କରିଥିବା ଜଣାପଡିଛି । ଗୁଳିକାଣ୍ଡ ସମୟର ସମ୍ପୁର୍ଣ୍ଣ ଚିତ୍ର ସିସିଟିଭିରେ କୟଦ ହୋଇଛି । ତେବେ ଗୁଳିକାଣ୍ଡ କରିଥିବା ବନ୍ଧୁକଧାରୀ ମୁହଁ ଢାଙ୍କିଥିବା ବେଳେ ମିଲିଟାରି ପୋଷାକ ପିନ୍ଧିଥିବା ଫୁଟେଜରେ ଦେଖାଯାଇଛି । ଏହି ଆକ୍ରମଣ ରାଜଧାନୀରୁ ୫୦ ମାଇଲ ଦୂରରେ ଆରାକ୍ରୁଜର ଦୁଇଟି ସ୍କୁଲରେ ହୋଇଛି । ସୁଟରଙ୍କ ବୟସ ୧୬ ବର୍ଷ ବୋଲି ସନ୍ଦେହ କରାଯାଉଛି ।

ଏସପିରିଟୋ ସାଣ୍ଟୋର ଗଭର୍ଣ୍ଣର ଟ୍ବିଟକରି କହିଛନ୍ତି,” ପ୍ରିମୋ ବିଟି ସ୍କୁଲ, ପ୍ରାଇଆ ଦେ କ୍ୟୁରେଲ ଏଜୁକେସନ ସେଣ୍ଟରେ ଗୁଳିକାଣ୍ଡ ହୋଇଛି । ଆକ୍ରାକ୍ରୁଜର ଦୁଇଟି ସ୍କୁଲରେ ଗୁଳିକାଣ୍ଡ କରିଥିବା ଦୁର୍ବୃତ୍ତକୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ମୁଁ ଦୁଃଖିତ । ଏହି ଗୁଳିକାଣ୍ଡ ଘଟଣାକୁ ନେଇ ମୁଁ ୩ ଦିନ ଶୋକ ଦିବସ ଘୋଷଣା କରିଛି । ଏନେଇ ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ପ୍ରକୃତ କାରଣ ସ୍ପଷ୍ଟ ହେବ। “

ଏନେଇ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭା ଟ୍ବିଟ କରି କହିଛନ୍ତି,” ଆକ୍ରାକ୍ରୁଜର ୨ଟି ସ୍କୁଲରେ ଗୁଳିକାଣ୍ଡ ଖବର ଶୁଣି ମୁଁ ମର୍ମାହତ। ଆତ୍ମାର ସଦଗତି କରିବା ସହ ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।”