ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରରେ ୪ଜି ଇଣ୍ଟରନେଟ୍ ସେବା ପ୍ରତିବନ୍ଧକକୁ ଜାନୁଆରୀ ୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜମ୍ମୁ-କଶ୍ମୀର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏକ ବୟାନରେ କୁହାଯାଇଛି ଯେ, ଗାନ୍ଦରବଲ ଏବଂ ଉଧମପୁର ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ୨ଜି ପର୍ଯ୍ୟନ୍ତ ସୀମିତ ରଖାଯିବ। ପୂର୍ବରୁ ୪ଜି ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଡିସେମ୍ବର ୨୬ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା। ଜମ୍ମୁ-କଶ୍ମୀରରେ ସଦ୍ୟ ସମାପ୍ତ ଡିଡିସି ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ଶେଷ ହେବା ପରେ ଆତଙ୍କୀ ଗୋଷ୍ଠୀ ସାଧାରଣ ନାଗରିକ, ପୁଲିସ କର୍ମୀ, ଯବାନଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ରସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଗତବର୍ଷ ଅଗଷ୍ଟ ୫ତାରିଖରୁ କଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା।