୯ ମାସ ହେଲା ୱାଘା ସୀମାନ୍ତରେ ପରେଡ୍ ବନ୍ଦ

ନୂଆଦିଲ୍ଲୀ/ଇସଲାମାବାଦ,ଏଜେନ୍ସି: କୋଭିଡ୍ ପରିସ୍ଥିତି ଯୋଗୁଁ ଆଜକୁ ନଅ ମାସ ହେଲା ପଞ୍ଜାବର ଅମୃତସର ନିକଟସ୍ଥ ୱାଘା ସୀମାରେ ଭାରତ ଓ ପାକିସ୍ତାନୀ ଯବାନଙ୍କ ଦ୍ୱାରା କରାଯାଉଥିବା ସନ୍ଧ୍ୟାକାଳୀନ ପରେଡ୍ ସମାରୋହକୁ ବନ୍ଦ ରଖାଯାଇଛି। ଅତୀତରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଯେତେ ତିକ୍ତ ହୋଇଥିଲେ ସୁଦ୍ଧା ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ଏହି ପରେଡକୁ ବନ୍ଦ କରାଯାଇନଥିଲା। ଏଭଳି ପରେଡ୍ ଦେଖିବାକୁ ଉଭୟ ଦେଶର ଶତାଧିକ ନାଗରିକ ପ୍ରତିଦିନ ସନ୍ଧ୍ୟାରେ ୱାଘା ସୀମାନ୍ତରେ ଉପସ୍ଥିତ ହୋଇଥାନ୍ତି। ଏମାନଙ୍କ ବସିବା ପାଇଁ ଉଭୟପଟରେ ଗ୍ୟାଲେରୀ ନିର୍ମିତ ହୋଇଛି। ଭାରତ ପକ୍ଷରୁ ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ଓ ପାକିସ୍ତାନ ପକ୍ଷରୁ ପାକିସ୍ତାନୀ ରେଞ୍ଜର୍ସ ଯବାନମାନେ ଏହି ଆକର୍ଷଣୀୟ ପରେଡ୍ରେ ଅଂଶଗ୍ରହଣ କରିଥାନ୍ତି। ସଂପୃକ୍ତ ଯବାନମାନେ ନିଜ ଦେଶର ଜାତୀୟ ପତାକାକୁ ଅବତରଣ କରାଇବାପରେ ପରେଡ୍ ଶେଷ ହୋଇଥାଏ। ସୂଚନାଯୋଗ୍ୟ ୧୯୫୯ରୁ ୱାଘା ସୀମାନ୍ତରେ ଏହି ଯୁଗ୍ମ ପରେଡ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଆସୁଛି।