ଗାଳ୍ପିକା ଯାଜ୍ଞସେନୀ ସାହାଙ୍କ ପୁସ୍ତକ ‘କେସିଙ୍ଗା ବିଦ୍ୟାପୀଠରୁ ମସୁରୀ’ ଉନ୍ମୋଚିତ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପୀଠରେ ବିଶିଷ୍ଟ ଲେଖିକା ତଥା ଗାଳ୍ପିକା ଯାଜ୍ଞସେନୀ ସାହାଙ୍କ ପୁସ୍ତକ ‘କେସିଙ୍ଗା ବିଦ୍ୟାପୀଠରୁ ମସୁରୀ’ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ରାସବିହାରି ବେହେରାଙ୍କ ସଭାପତିତ୍ୱରେ ପୁସ୍ତକଟି ଉନ୍ମୋଚିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡା.ନୃପରାଜ୍ ସାହୁ, ଅନ୍ୟତମ ଅତିଥି ଭାବରେ ରାଜ୍ୟ ପ୍ରକଳ୍ପ ଅଧିକାରୀ ଅନୁପ ସାହା ଓ ଡେପୁଟି ଆରଓସି ଓଡ଼ିଶା କଟକ ତୃପ୍ତି ଶର୍ମା ପ୍ରମୁଖ ମଞ୍ଚାସୀନ ଥିଲେ ।

ପ୍ରକାଶଥାଉ କି, ଗାଳ୍ପିକା ଯାଜ୍ଞସେନୀ ସାହା ଏହାପୂର୍ବରୁ ୩ଟି ପୁସ୍ତକ ରଚନା କରିଛନ୍ତି ସେଗୁଡିକ ହେଲା – ଶାମୁକାର ସ୍ୱପ୍ନ, ମାଟିରୁ ଆକାଶ ଓ ଚିଠି । “କେସିଙ୍ଗା ବିଦ୍ୟାପୀଠରୁ ମସୁରୀ’ ବହିରୁ ଅନେକ ମଧ୍ୟବିତ୍ତ ପରିବାର ପ୍ରେରଣା ପାଇ ନିଜର ପରିବାର ତଥା ଜିଲ୍ଲା ଓ ରାଜ୍ୟକୁ ଗୌରବ ଆଣିବେ ବୋଲି ବକ୍ତାମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କିରଣ ବେହେରା, ଅନୁପ ସାହାଙ୍କ ଅଜା ଭୁବନେଶ୍ୱର ସାହା, ବାପା ଡା. ହେମ ସାଗର ସାହା, ଡକ୍ଟର ଗୁଣ ସାଗର ସାହାଙ୍କ ସମେତ ଅଞ୍ଚଳର ବହୁ ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।