ବିଦେଶୀ ଗଣମାଧ୍ୟମରେ କୃଷି ଆଇନ୍ ପ୍ରତ୍ୟାହାର ପ୍ରସଙ୍ଗ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିବାଦୀୟ କୃଷି ଆଇନ ପତ୍ୟାହାର କରିଛନ୍ତି। ଏ ନେଇ ଦେଶର ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି। ଅପରପକ୍ଷରେ ବିଦେଶୀ ଗଣମାଧ୍ୟମରେ ମଧ୍ୟ ଏ ନେଇ ଚର୍ଚ୍ଚା ଜାରି ରହିଛି। ଆମେରିକା, ବ୍ରିଟେନ୍‌, କାନାଡା ତଥା ପାକିସ୍ତାନର ଗଣମାଧ୍ୟମଗୁଡ଼ିକ ନିଜ ନିଜର ୱେବ୍‌ସାଇଟ୍‌ରେ ଏହି ଖବରକୁ ପ୍ରମୁଖ ଭାବେ ଉପସ୍ଥାପିତ କରିଛନ୍ତି। ଦୀର୍ଘ ଏକବର୍ଷ ଧରି ଭାରତରେ ଜାରି ରହିଥିବା କୃଷକ ଆନ୍ଦୋଳନ ଆଗରେ ମୋଦୀ ସରକାର ନିଜର ମତ ପରିବର୍ତ୍ତନ କରିଛନ୍ତି। ସରକାର ନରମ ମନୋଭାବ ପୋଷଣ କରି ବିବାଦୀୟ କୃଷି ଆଇନ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ନ୍ୟୁୟର୍କ ଟାଇମ୍‌ସ ଲେଖିଛି।

ଠିକ୍ ସେହିପରି ସିଏନ୍‌ଏନ୍ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣକୁ ନିଜ ମୁଖ୍ୟ ପୃଷ୍ଠାରେ ସ୍ଥାନ ଦେଇଛି। ମୋଦୀ ସରକାର ରାଜନୀତିର ଚାପରେ ଏହି ନିର୍ଣ୍ଣୟ ନେଇଛନ୍ତି ବୋଲି ଲେଖିଛି ସିଏନ୍‌ଏନ୍ । ଭାରତ କୃଷିପ୍ରଧାନ ଦେଶ। କୌଣସି ସରକାର କୃଷକମାନଙ୍କ ଦାବିକୁ ଦୀର୍ଘଦିନ ପର୍ଯ୍ୟନ୍ତ ଅଣହେଳା କରି ପାରିବ ନାହିଁ। ଆଗାମୀ ବର୍ଷରେ ଦେଶର ୫ଟି ବିଜେପି ଶାସିତ ରାଜ୍ୟରେ ନିର୍ବାଚନ ରହିଛି। ବିଜେପି ନିଜ ଭୋଟ୍ ହରାଇବାକୁ ଚାହିଁବ ନାହିଁ। ଅପରପକ୍ଷରେ ବ୍ରିଟିଶ୍ ଖବରକାଗଜ ‘ଦ ଗାର୍ଡିଆନ୍‌’ ଲେଖିଛି ଯେ ଦେଶର କୃଷକମାନଙ୍କ ପାଇଁ ପ୍ରଣୟନ କରାଯାଇଥିବା ଆଇନ ପ୍ରସଙ୍ଗରେ କୃଷକମାନଙ୍କ ସହିତ ଆଲୋଚନା କରାଯାଇନାହିଁ। କୃଷକମାନେ ଏହି ଆଇନ୍‌କୁ ବିରୋଧ କରି ଆସୁଛନ୍ତି।

ସରକାର ଶେଷରେ ପ୍ରତ୍ୟାହାର କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ମୋଦୀ ପୁଣିଥରେ ଚକ୍‌ମା ଦେଇଛନ୍ତି ବୋଲି ଲେଖିଛି କାନାଡ଼ା ଖବରକାଗଜ। ପାକିସ୍ତାନ ଗଣମାଧ୍ୟମ ମଧ୍ୟ ଏହି ଖବରକୁ ପମୁଖ ସ୍ଥାନ ଦେବାକୁ ପଛରେ ନାହିଁ। ଡନ୍ ତଥା ଟ୍ରିବ୍ୟୁନ୍ ୱେବ୍‌ସାଇଟ୍‌ରେ ପ୍ରମୁଖତାର ସହିତ ଏହି ଖବର ସ୍ଥାନ ପାଇବା ଓ ଆନ୍ଦୋଳନରତ କୃଷକଙ୍କ ଫଟୋ ସ୍ଥାନ ପାଇଛି। ମୋଦୀ ସରକାର କୃଷକଙ୍କ ଦାବି ଆଗରେ ସମର୍ପଣ କରିଛି ବୋଲି ଲେଖିଛି ଡନ୍ ଖବରକାଗଜ।