ଝାନ୍ସି,ଏଜେନ୍ସି: ଭାରତୀୟ ବାୟୁସେନାକୁ ଶୁକ୍ରବାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ମିଳିଛି। ଦିନିକିଆ ବୁନ୍ଦେଲଖଣ୍ଡ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାନ୍ସିର ରାଣୀ ଲକ୍ଷ୍ମୀବାଇଙ୍କ କିଲ୍ଲାରେ ଆୟୋଜିତ ଏକ ଉତ୍ସବରେ ବାୟୁସେନାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ଦ୍ୱାରା ନିର୍ମିତ ଏହି ହେଲିକପ୍ଟର ପ୍ରଦାନ କରିଛନ୍ତି। ଏହା ବିଶ୍ୱର ଏକମାତ୍ର ହେଲିକପ୍ଟର, ଯାହା ୫୦୦୦ ମିଟର ଉଚ୍ଚ ଯେକୌଣସି ସ୍ଥାନରେ ଲ୍ୟାଣ୍ଡ୍ ଏବଂ ଟେକ୍ଅଫ୍ କରିପାରିବ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଡିଆର୍ଡିଓ ଦ୍ୱାରା ଡିଜାଇନ୍ ହୋଇଥିବା ଏବଂ ଭାରତ ହେଭି ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ଭେଲ୍) ଦ୍ୱାରା ନିର୍ମିତ ଇଲେକ୍ଟ୍ରୋନିକ୍ସ ୱାର୍ଫେୟର୍ ସୁଟ୍, ଏୟାରକ୍ରାଫ୍ଟ କ୍ୟାରିୟର୍ ଏବଂ ଯୁଦ୍ଧପୋତ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଥିଲେ।
ସେହିପରି ଭାରତୀୟ ଷ୍ଟାର୍ଟଅପ୍ ଦ୍ୱାରା ନିର୍ମାଣ କରାଯାଇଥିବା ଡ୍ରୋନ୍ ଓ ୟୁଏଭି ମଧ୍ୟ ସେ ସେନାବାହିନୀକୁ ପ୍ରଦାନ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଝାନ୍ସିରେ ଆୟୋଜିତ ‘ରାଷ୍ଟ୍ର ରକ୍ଷା ସମ୍ପନ୍ନ ପର୍ବ’ର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ଭାରତ ଡାଇନାମିକ୍ସର ଏକ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। ବୁନ୍ଦେଲଖଣ୍ଡ ଡିଫେନ୍ସ କରିଡର୍ର ଅଧୀନରେ ଆସୁଥିବା ଏହି ପ୍ଲାଣ୍ଟର ନିର୍ମାଣ ଖର୍ଚ୍ଚ ୪୦୦ କୋଟି ଟଙ୍କା ହେବ। ଏହି ପ୍ଲାଣ୍ଟ୍ରେ ଆଣ୍ଟି ଟ୍ୟାଙ୍କ୍ ଗାଇହେଡ୍ ମିସାଇଲ୍ ପାଇଁ ପ୍ରପଲ୍ସନ୍ ସିଷ୍ଟମ୍ ପ୍ରସ୍ତୁତ ହେବ।
ବାୟୁସେନାକୁ ପ୍ରଦାନ କରାଯାଇଥିବା ସ୍ୱଦେଶୀ ଡିଜାଇନ୍ ଓ ଆଡ୍ଭାନ୍ସ ଟେକ୍ନିକ୍ରେ ପ୍ରସ୍ତୁତ ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟରର ମୂଲ୍ୟ ୧୫୦ କୋଟି ଟଙ୍କା ହୋଇଥିବା ବେଳେ ଏହାର ଉଚ୍ଚତା ଓ ଲମ୍ବା ୧୫ ଫୁଟ୍। ସେହିପରି ଏହାର ଗତି ଘଣ୍ଟା ପ୍ରତି ୨୮୭ କିମି। ଦୁଇ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟରର ଓଜନ ୫,୮୦୦ କେଜି ହୋଇଥିବା ବେଳେ ଶୂନ୍ୟରୁ ଶୂନ୍ୟକୁ ମାଡ଼ କରାଯାଇପାରୁଥିବା ୭୦ କିମ୍ବା ୬୮ ଏମ୍ଏ ରକେଟ୍ ବହନ କରିବାରେ ଏହା ସକ୍ଷମ। ଯେକୌଣସି ପାଣିପାଗରେ ଉଡ଼ିପାରୁ ଥିବା ଏହି ହେଲିକପ୍ଟର ଆକାଶରେ ଶତ୍ରୁ ଉପରେ ନଜର ରଖିବାରେ ସହାୟକ ହେବ।
୫୦ ଡିଗ୍ରୀ ତାପମାତ୍ରା କିମ୍ବା ବିଯୁକ୍ତ ୫୦ ଡିଗ୍ରୀ ତାପମାତ୍ରାରେ ଏହା ଉଡ଼ାଣ କରିପାରିବ। ରାତିରେ ଅପରେସନ୍ କରିବା ଏବଂ ଦୁର୍ଘଟଣାରୁ ବର୍ତ୍ତିବାରେ ସକ୍ଷମ ଏହି ହେଲିକପ୍ଟର୍ରେ ଫରୱାର୍ଡ ଇନ୍ଫ୍ରାରେଡ୍ ସର୍ଚ୍ଚ, ସିସିଡି କ୍ୟାମେରା ଓ ଥର୍ମାଲ୍ ଭିଜନ୍ ସହ ଲେଜର୍ ରେଞ୍ଜ୍ ଫାଇଣ୍ଡର୍ ଖଞ୍ଜା ଯାଇଛି। ଏହି ଅବସରରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ୍, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତିନି ସେନାର ଅଧିକାରୀମାନେ ଉପସ୍ଥିତ ଥିଲେ।