ବୁଡ଼ିଯାଇ ୩ ବାଳକ ମୃତ

ନିମାପଡ଼ା, ଭୁବନ,ଏନ୍‌ଏନ୍‌ଏସ୍‌: କାର୍ତ୍ତିକ ପୂର୍ଣ୍ଣିମା ଭଳି ଏକ ପବିତ୍ର ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ ଜଣ ବାଳକ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ସେଥିରୁ ୨ ଜଣ ନିମାପଡ଼ା ଥାନା ଅନ୍ତର୍ଗତ ଆଳିପିଙ୍ଗଳ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ହେଉଛି ଭୁବନ ଏନ୍‌ଏସି ଅଞ୍ଚଳର।

ଆଳିପିଙ୍ଗଳ ଗ୍ରାମର ଭାଗ୍ୟଧର ବାରିକଙ୍କ ପୁଅ ସାଇସତ୍ୟମ୍ ବାରିକ (୧୦) ଓ ଧୀରେନ୍ଦ୍ର ସାହୁଙ୍କ ପୁଅ ଶକ୍ତି ସାହୁ (୭) ଶନି ମନ୍ଦିର ନିକଟରେ ନୂତନ କରି ଖୋଳାଯାଇଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ଦୁହେଁ ପୋଖରୀ ମଝିକୁ ଚାଲି ଯାଇଥିଲେ। ସେମାନେ ବୁଡ଼ି ଯାଉଥିବା ଦେଖି ଅନ୍ୟଜଣେ ଦିବ୍ୟାଙ୍ଗ ଯୁବକ ତତ୍‌କ୍ଷଣାତ୍ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ତେବେ ପରିବାର ଲୋକ ଓ ଗ୍ରାମବାସୀ ପୋଖରୀ ନିକଟରେ ପହଞ୍ôଚବା ବେଳକୁ ଉଭୟ ଶିଶୁ ବୁଡ଼ି ଯାଇଥିଲେ। ଗ୍ରାମବାସୀ ଦୁଇ ଶିଶୁଙ୍କୁ ଉଦ୍ଧାର କରି ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍‌ଏସି ୧ ନଂ. ୱାର୍ଡ ଅନ୍ତର୍ଗତ ସିନୋମ ହଲ୍ ଛକ ନିବାସୀ ବିଦ୍ୟାଧର ନାୟକଙ୍କ ପୁଅ ରଶ୍ମିରଞ୍ଜନ (୧୩) ଅନ୍ୟମାନଙ୍କ ସହ ରାତି ୨ଟାରୁ ବ୍ରାହ୍ମଣୀ ନଦୀର ବୁଦ୍ଧେଶ୍ୱର ଘାଟକୁ ଡଙ୍ଗା ଭସାଇବାକୁ ଯାଇଥିଲା। ଡଙ୍ଗା ଭସାଉଥିବାବେଳେ ପ୍ରଖର ଜଳସ୍ରୋତରେ ସେ ଭାସିଯାଇଥିଲେ। ଏ ନେଇ ସ୍ଥାନୀୟ ଲୋକେ ଭୁବନ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୨ ଘଣ୍ଟା ଖୋଜାଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ। ପରେ ମାଛ ଧରାଳୀ ପ୍ରମୋଦ ମଲ୍ଲିକ, ଧୀର ମଲ୍ଲିକ, କୈଳାସ ମଲ୍ଲିକ ଓ କେଶବ ସେଠୀ ସୁଲେଇପାଳ ଘାଟରୁ ଜାଲ ସାହାଯ୍ୟରେ ରଶ୍ମିକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଡାକ୍ତର ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିଙ୍କର ମୃତ୍ୟୁ ହୋଇଛି।