ପାଚିକା ନିଯୁକ୍ତିରେ ଅନିୟମିତତା, ଅଙ୍ଗନବାଡି କେନ୍ଦ୍ରରେ ତାଲା

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ଧରମପୁରସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ନୂତନ ପାଚିକା ନିଯୁକ୍ତିରେ ପାତରଅନ୍ତର ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ରିଆମାଳ ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ପାଚିକା ନିଯୁକ୍ତି ନିମନ୍ତେ ଧରମପୁର ଗ୍ରାମରେ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ସେଥିପାଇଁ ସିଡିପିଓ ନମିତା ରାଉତ ଧରମପୁର ଗ୍ରାମରେ ପହଂଚି ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ବୈଠକ କରି ଇଣ୍ଟରଭ୍ୟୁ କରିଥିଲେ। ଏହି କ୍ରମରେ ଅଞ୍ଜଳି ବେହେରା, ରେଣୁ ବଗର୍ତୀ, ଝିନି ବଗର୍ତୀ ଓ ବୁଲବୁଲି ମାଝୀ ଆବେଦନ କରିଥିଲେ। ପରେ ସିଡିପିଓ ବୁଲବୁଲି ମାଝୀଙ୍କୁ ପାଚିକା ଭାବେ ନିଯୁକ୍ତ କରିଥିଲେ। କିନ୍ତୁ ସିଡିପିଓ ଅନ୍ୟ ୩ ଜଣଙ୍କର ଅବେଦନ ଫର୍ମକୁ ଗ୍ରହଣ ନ କରି ଏକତରଫା ଭାବେ ବୁଲବୁଲିକୁ ନିଯୁକ୍ତି ଦେଇଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏ ବାବଦରେ ସିଡିପିଓଙ୍କୁ ପଚାରିବାରୁ ସରକାରଙ୍କ ଗାଇଡଲାଇନ ଅନୁସାରେ ବୁଲବୁଲିଙ୍କୁ ନିଯୁକ୍ତି କରାଯାଇଛି ଓ ପାଚିକା ନିଯୁକ୍ତିରେ କୌଣସି ଅନିୟମିତତା କରାଯାଇ ନାହିଁ ବୋଲି କହିଥିଲେ। କିନ୍ତୁ ଏହାର ସୁବିଚାର ନ ହେବା ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ରରେ ତାଲା ପଡ଼ିବ ବୋଲି ଗ୍ରାମର ସଭାପତି ବକୁଳି ସାହୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।