ଡାକ୍ତରଖାନାରୁ ମିଳିଲାନି ଗାଡ଼ି : କାନ୍ଧରେ ବୁହାହେଲା ଶିଶୁର ଶବ

ଢେଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସଦା ସର୍ବଦା ଚର୍ଚ୍ଚାରେ ରହିଆସିଥିବା ବେଳେ ଆଜି ଆଉଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଖାନାରୁ ଶବ ବୁହା ଗାଡ଼ି ନ ମିଳିବାରୁ କାନ୍ଧରେ ବୋହି ଶବକୁ ନେଲେ ପରିବାର ଲୋକ। ପରେ ଲୋକଙ୍କ ହସ୍ତକ୍ଷେପ ଯୋଗୁ ମାରୱାଡି ଯୁବମଞ୍ଚର ଶବବୁହା ଗାଡିରେ ପରିବାର ଲୋକ ଗାଁକୁ ନିଜ ଶିଶୁର ମୃତଦେହକୁ ନେଇଥିଲେ। ସୂଚନା ଅନୁସାରେ, ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଏକ ୫ ବର୍ଷର ଶିଶୁର ମୃତ୍ୟୁ ପରେ ଶବବୁହା ଗାଡି ମିଳିପାରି ନଥିଲା। ଫଳରେ ଶିଶୁର ମୃତ ଦେହକୁ କାନ୍ଧରେ ବୋହି ସମ୍ପର୍କିୟ ଜଣେ ପାଦରେ ଚାଲି ଚାଲି ଗାଁକୁ ନେଉଥିଲେ। ୧ କିଲୋମିଟର ଚାଲି ଚାଲି ଯିବାପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଯୋଗୁ ମାରୱାଡି ଯୁବମଞ୍ଚ ସହାୟତାରେ ଗାଡିରେ ମୃତଦେହ ଗ୍ରାମକୁ ନିଆଯାଇଥିଲା। ମୃତ ଶିଶୁ ଜଣଙ୍କ ସଦର ଥାନା ଭାପୁର ଭାଗିରଥୀପୁରର ସ୍ୱର୍ଗତ ସନ୍ତୋଷ ଦେହୁରୀଙ୍କ ୫ ବର୍ଷର ପୁଅ ସଞ୍ଜୟ ବୋଲି ଜଣାପଡିଛି। ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ମୃତ ଶିଶୁଙ୍କ ମାଆ କମଳୀ ଦେହୁରୀ ଆଜି ପୁଅର କଫ ଓ ଟିିବି ଜନିତ ରୋଗ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା।