ଜାରିହେଲା ଆଇପିଏଲ୍ କ୍ରୀଡ଼ାସୂଚୀ: ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ-ଚେନ୍ନାଇ ମୁକାବିଲା

ନୂଆଦିଲ୍ଲୀ,ଏଜେନ୍ସି: ବହୁ ପ୍ରତୀକ୍ଷିତ ଆଇପିଏଲ୍-୨୦୨୦ର କ୍ରୀଡା ସୂଚୀ ଜାରି ହୋଇଛି। ଆସନ୍ତା ୧୯ ତାରିଖରେ ପ୍ରଥମ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଚେନ୍ନଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। କରୋନା କାରଣରୁ ଏହି ମ୍ୟାଚଟି ୟୁଏଇରେ ଅନୁଷ୍ଠିତ ହେଉଥିବାବେଳେ ସନ୍ଧ୍ୟା ୭ଟା ୩୦ ମିନିଟରେ ଖେଳ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସେହିପରି ୟୁଏଇର ୩ ସହର ସାରଜା, ଦୁବାଇ ଓ ଆବୁଧାବୀରେ ସମସ୍ତ ମ୍ୟାଚ ଖେଳାଯିବ। କ୍ରୀଡ଼ାସୂଚୀ ଅନୁସାରେ ଦୁବାଇରେ ୨୪, ଆବୁଧାବୀରେ ୨୦ ଓ ସାରଜାରେ ୧୨ଟି ମ୍ୟାଚ ଅନୁଷ୍ଠିତ ହେବ।

ଏହି ଟୁର୍ଣ୍ଣାମେଣ୍ଟରେ ଦିନକୁ ୨ଟି ଲେଖାଏଁ ମ୍ୟାଚ ୧୦ ଦିନ ରଖାଯାଇଛି। ଅପରପକ୍ଷରେ ପୂର୍ବ ଖେଳସୂଚୀ ତୁଳନାରେ ବର୍ତ୍ତମାନର ଖେଳସୂଚୀରେ ୩୦ ମିନିଟ୍ ପୂର୍ବରୁ ଖେଳ ଆରମ୍ଭ ହେବ। କରୋନା ଯୋଗୁଁ ଟୁର୍ଣ୍ଣାମେଣ୍ଟ ବିନା ଦର୍ଶକରେ ଅନୁଷ୍ଠିତ ହେବ ଏବଂ ଆଇପିଏଲର ପ୍ରତ୍ୟେକ ୫ମ ଦିନ ଖେଳାଳି ଓ ସପୋଟିଂ ଷ୍ଟାଫଙ୍କ କରୋନା ପରୀକ୍ଷା ହେବ। ସେହିପରି ଆଇପିଏଲରେ ସବୁ ଫ୍ରାଞ୍ଚାଇଜିଙ୍କୁ ଅନଲିମିଟେଡ଼୍ କରୋନା ସବଷ୍ଟିଚ୍ୟୁଟ୍ ପାଇଁ ଅନୁମତି ରହିଛି। ଆଇପିଏଲ୍ ଖେଳ ସୂଚୀ ଜାରି ହୋଇଥିଲେ ହେଁ ଚଳିତ ବର୍ଷ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ସଂଶୟ ଜାରି ରହିଛି। ଆଇପିଏଲରେ ଇଂଲଣ୍ଡର ୧୩ ଓ ଅଷ୍ଟ୍ରେଲିଆର ୧୭ ଖେଳାଳି ଚୁକ୍ତିବଦ୍ଧ ହୋଇଥିଲେ ହେଁ ସେମାନଙ୍କ ଖେଳିବାକୁ ନେଇ ଏବେବି ଆଶଙ୍କା ଜାରି ରହିଛି।