ଆଇପିଏଲ୍‌ ୨୦୨୩: ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ, ୭ ରନରେ ଜିତିଲା ଦିଲ୍ଲୀ

ହାଇଦ୍ରାବାଦ,ଏଜେନ୍ସି: ଚଳିତ ଆଇପିଏଲ ୨୦୨୩ରେ ସୋମବାର କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କେବଳ ୧୪୪ ରନ ହିଁ କରିପାରିଥିଲା ଦିଲ୍ଲୀ । ତେବେ ଏହାକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ କେବଳ ୧୩୭ ରନରେ ଅଟକି ଯାଇଥିଲା ହାଇଦ୍ରାବାଦ । ଫଳରେ ଚଳିତ ସଂସ୍କରଣରେ ୭ ରନରେ ନିଜର ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଲରାଉଣ୍ଡ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ଅକ୍ଷର ପଟେଲ ।

ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର । ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ବର କୁମାରଙ୍କ ବଲରେ ଆଉଟ ହୋଇଥିଲେ ଫିଲିପ ସର୍ଟ । ତେବେ ଅଧିନାୟକ ୱାର୍ନର ଓ ମିଚେଲ ମାର୍ଶ କିଛି ସମୟ ପାଳି ସମ୍ଭାଳିଥିଲେ । ୧୫ ବଲରୁ ୫ ଚୌକା ସହ ୨୫ ରନ କରି ଟି ନଟରାଜନଙ୍କ ଶିକାର ପାଲଟିଥିଲେ ମାର୍ଶ । ଏହାପରେ ଡେଭିଡ ୱାର୍ନର ମଧ୍ୟ ୨୦ ବଲରୁ ୨୧ ରନ କରି ଆଉଟ ହୋଇଥିଲେ । ସେହି ଓଭରରେ ସର୍ଫରାଜ ଖାନ ଓ ଅମନ ହାକିମ ଖାନ ମଧ୍ୟ କେବଳ ୧୦ ଓ ୪ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ମନୀଷ ପାଣ୍ଡେ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ୩୪ ରନ ଲେଖାଏଁ କରି ଆଉଟ ହୋଇଥିଲେ । ଦଳର ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର କରିବାରେ ଅସମର୍ଥ ହୋଇଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୪୪ ରନ କରିପାରିଥିଲା ।

ହାଇଦ୍ରାବାଦ ପକ୍ଷରୁ ଆଜି ଭୁବନେଶ୍ବର କୁମାରଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୪ ଓଭର ବୋଲିଂ କରିଥିବା ଭୁବନେଶ୍ବର କେବଳ ୧୧ ରନ ବ୍ୟୟ କରି ୨ଟି ବହୁମୂଲ୍ୟ ୱିକେଟ ହାତେଇଥିଲେ । ୱାଶିଂଟନ ସୁନ୍ଦର ୪ ଓଭରରୁ ୨୮ ରନ ବ୍ୟୟରେ ୩ଟି ୱିକେଟ ପାଇଥିବା ବେଳେ ନଟରାଜନଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହାପରେ ଚଳିତ ସଂସ୍କରଣରେ ତୃତୀୟ ବିଜୟ ପାଇଁ ହାଇଦ୍ରାବାଦ ଆଗରେ କେବଳ ୧୪୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଦଳୀୟ ସ୍କୋର ୩୧ ରନ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା । ହ୍ୟାରୀ ବ୍ରୁକ ୧୪ ବଲରୁ କେବଳ ୭ ରନ କରି ନୋର୍ଖିଆଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ । ଏହାପରେ ଦଳ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିବା ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ । ସେ ୩୯ ବଲରୁ ୭ ଚୌକା ବଳରେ ୪୯ ରନ କରିଥିଲେ । ରାହୁଲ ତ୍ରିପାଠୀ ୨୧ ବଲରୁ ୧୫ ରନ କରି ଆଉଟ ହୋଇଥିବା ବେଳେ ଅଭିଷେକ ଶର୍ମା ଓ ଅଧିନାୟକ ମାର୍କ୍ରମ ମଧ୍ୟ କୌଣସି କମାଲ କରିପାରିନଥିଲେ । ହେନରିଚ କ୍ଲାସିନ ୧୯ ବଲରୁ ୩୧ ରନର ପାଳି ଖେଳି ଆଉଟ ହୋଇଥିଲେ । ୱାଶିଂଟନ ସୁନ୍ଦର ୧୫ ବଲରୁ ଅପରାଜିତ ୨୪ ରନ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ ।

ଦିଲ୍ଲୀ ପକ୍ଷରୁ ମଧ୍ୟ ଆଜି ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଅକ୍ଷର ପଟେଲ ୪ ଓଭରରୁ ମାତ୍ର ୨୧ ରନ ଖର୍ଚ୍ଚ କରି ୨ଟି ୱିକେଟ ପାଇଥିବା ବେଳେ ନୋର୍ଖିଆଙ୍କୁ ମଧ୍ୟ ୨ଟି ୱିକେଟ ମିଳିଥିଲା । ତେବେ ସେ ଦଳ ପକ୍ଷରୁ ସର୍ବାଧିକ ୩୩ ରନ ବ୍ୟୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶାନ୍ତ ଶର୍ମା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।