କେରଳରେ ମୋଦୀଙ୍କ ମେଗା ରୋଡ୍‌ ଶୋ

ଥିରୁଅନନ୍ତପୁରମ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ୨ ଦିନିଆ କେରଳ ଗସ୍ତରେ ଅଛନ୍ତି। ଆସନ୍ତାକାଲି ସରକାରୀ କାର୍ଯ୍ୟକ୍ରମ ଥିବା ବେଳେ ଆଜି ମୋଦୀ କୋଚିରେ ମେଗା ରୋଡ ଶୋ’ କରିଛନ୍ତି । ଏହି ଦଳୀୟ କାର୍ଯ୍ୟକ୍ରମରେ ମୋଦୀଙ୍କୁ କେରଳର ପାରମ୍ପରିକ ବେଶଭୂଷାରେ ଦେଖିବାକୁ ମିଳିଛି । କେରଳର ପାରମ୍ପରିକ ଧୋତି ‘ମୁଣ୍ଡୁ’ ପିନ୍ଧି କୋଚି ରାସ୍ତାରେ ଚାଲିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବା ଲାଗି ରାସ୍ତାର ଉଭୟ ପାର୍ଶ୍ବର ଅନେକ ପ୍ରଶଂସକ ଓ ଦଳୀୟ ନେତା କର୍ମୀ ଭିଡ଼ ଜମାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ ବେଳେ ପ୍ରଶଂସକମାନେ ପୁଷ୍ପ ବୃଷ୍ଟି କରିଛନ୍ତି । ପ୍ରାୟ ୧୫ ମିନିଟ କୋଚି ରାସ୍ତାରେ ମୋଦୀ ଚାଲି ଚାଲି ଆଗକୁ ବଢିଥିଲେ । ମୋଦିଙ୍କ ପୂର୍ବ ରୋଡ୍‌ ଶୋ’ଠାରୁ ଏହା ନିଶ୍ଚିତ ଭିନ୍ନ ରହିଥିଲା । କାରଣ ପୂର୍ବରୁ ମୋଦି କାର ମଧ୍ୟରେ ଥାଇ ଓପନ-ଟପରୁ ସମର୍ଥକଙ୍କୁ ଅଭିବାଦନ ଜଣାଇଥାନ୍ତି । ହେଲେ କେରଳରେ ମୋଦୀଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ରାସ୍ତାରେ ଚାଲି ଚାଲି ହାତ ହଲାଇ ଯାଇଥିଲେ ପ୍ରଧାନମନ୍ତ୍ରୀ ।