ପୁଣି କୋହଲିଙ୍କୁ ନିରାଶ କଲେ ଆରସିବି ବୋଲର, ୬ ୱିକେଟରେ ଜିତିଲା ଗୁଜରାଟ

ବେଙ୍ଗାଲୁରୁ: ଗୁଜରାଟ ଠାରୁ ୬ ୱିକେଟରେ ହାରି ପ୍ଲେ ଅଫରୁ ବଞ୍ଚିତ ହେଲା ଆରସିବି । ପୁଣିଥରେ ବିରାଟ କୋହଲିଙ୍କୁ ନିରାଶ କଲେ ଆରସିବି ବୋଲର । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକ ବଳରେ ୧୯୭ ରନ କରିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ହେଲେ ଖରାପ ବୋଲିଂ ପ୍ରଦର୍ଶନ କାରଣରୁ ଏହି ମ୍ୟାଚକୁ ଗୁଜରାଟ ଠାରୁ ୬ ୱିକେଟରେ ହାରିଛି ଆରସିବି । ଶୁଭମନ ଗିଲଙ୍କ ଶତକ ବଳରେ ୧୯.୧ ଓଭରରେ ଏହି ମ୍ୟାଚ ଜିତି ନେଇଛି ଗୁଜରାଟ ଟାଇଟନ୍ସ ।

ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭଲ ଆରମ୍ଭ କରିଥିଲା ବାଙ୍ଗାଲୋର । ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୬୭ ରନ ଯୋଡ଼ିଥିଲେ ଅଧିନାୟକ ଫାଫ ଡୁପ୍ଲେସିସ ଓ ବିରାଟ କୋହଲି । ତେବେ ୧୯ ବଲରୁ ୫ ଚୌକା ବଳରେ ୨୮ ରନ କରି ପ୍ରଥମେ ପାଭିଲିୟନ ଫେରିଥିଲେ ଡୁପ୍ଲେସିସ । ଏହାପରେ ମାତ୍ର ୧୧ ରନ କରି ମାକ୍ସେୱ ମଧ୍ୟ ଆଉଟ ହୋଇଯାଇଥିଲେ । ତେବେ ମିଚେଲ ବ୍ରେସୱେଲ ବିରାଟ କୋହଲିଙ୍କର ଭରପୁର ସାଥ ଦେଇଥିଲେ । ସେ ୧୬ ବଲରୁ ୫ ଚୌକା ବଳରେ ୨୬ ରନ କରି ଆଉଟ ହୋଇଥିଲେ । ହେଲେ ଅନ୍ୟପଟେ ବିରାଟ କୋହଲି ନିଜର ସୁପ୍ରିମ ଫର୍ମରେ ବ୍ୟାଟିଂ ଜାରି ରଖିଥିଲେ । ଅନୁଜ ରାୱତ ୧୫ ବଲରୁ ଅପରାଜିତ ୨୩ ରନ କରି କରିଥିବା ବେଳେ ୬୧ ବଲରୁ ୧୩ ଚୌକା ଓ ଗୋଟିଏ ଛକା ବଳରେ ଚଳିତ ସିଜିନର ଲଗାତାର ଦ୍ବିତୀୟ ଶତକ (୧୦୧) ହାସଲ କରିଥିଲେ କିଙ୍ଗ କୋହଲି । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୭ ରନରେ ପହଞ୍ଚି ପାରିଥିଲା ।

ଗୁଜରାଟ ପକ୍ଷରୁ ନୁର ଅହମ୍ମଦ ୪ ଓଭରରେ ୩୯ ରନ ଖର୍ଚ୍ଚ କରି ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ୪ ଓଭରରୁ ୩୯ ରନ ଲେଖାଏଁ ବ୍ୟୟ କରି ମହମ୍ମଦ ସାମି ଓ ୟଶ ଦୟାଲ ଗୋଟିଏ ଲେଖାଏଁ ସଫଳତା ପାଇଥିବା ବେଳେ ରସିଦ ଖାନ ୪ ଓଭରରେ ୨୪ ରନ ଖର୍ଚ୍ଚ କରି ଗୋଟିଏ ୱିକେଟ ନେଇଥିଲେ ରସିଦ ଖାନ । ମୋହିତ ଶର୍ମା ୫୪ ରନ ବ୍ୟୟ କରି ଦଳ ପାଇଁ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।ଏହାପରେ ୧୯୮ ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଗୁଜରାଟ । ପ୍ରଥମେ କେବଳ ୧୨ ରନ କରି ମହମ୍ମଦ ସିରାଜଙ୍କ ଶିକାର ପାଲଟିଥିଲେ ରିଦ୍ଧିମାନ ଶାହା । ଏହାପରେ ଶୁଭମନ ଗିଲ ଓ ବିଜୟ ଶଙ୍କର ଆରସିବି ବୋଲରଙ୍କୁ ପ୍ରହାର କରିଥିଲେ । ୩୫ ବଲରୁ ୫୩ ରନ କରି ବିଜୟ ଶଙ୍କର ଆଉଟ ହୋଇଥିବା ବେଳେ ୫୨ ବଲରୁ ଚଳିତ ସଂସ୍କରଣର ଦ୍ବିତୀୟ ଶତକ (୧୦୪) ହାସଲ କରି ଦଳକୁ ବିଜୟ ଦେଇଥିଲେ ଗିଲ । ଶୁଭମନ ଗିଲଙ୍କ ଆଜିର ପାଳିରେ ୫ ଚୌକା ଓ ୮ ଛକା ସାମିଲ ଥିଲା ।

ଆରସିବି ପକ୍ଷରୁ ଆଜି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ବାରମ୍ବାର ଖରାପ ବୋଲିଂ ପ୍ରଦର୍ଶନ ପାଇଁ ପ୍ଲେ ଅଫରୁ ବଞ୍ଚିତ ହେଉଥିବା ଆରସିବି ଚଳିତ ବର୍ଷ ମଧ୍ୟ ଖରାପ ବୋଲିଂ ପ୍ରଦର୍ଶନ କାରଣରୁ ପ୍ଲେ ଅଫରୁ ବଞ୍ଚିତ ହୋଇଛି । ଦଳ ପକ୍ଷରୁ ମହମ୍ମଦ ସିରାଜ 4 ଓଭରରେ 32 ରନ ଖର୍ଚ୍ଚ କରି 2ଟି ୱିକେଟ ଅକ୍ତିଆର କରିଥିବା ବେଳେ ବିଜୟକୁମାର ବୈଶକ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।