ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଆସିବେ ସାରଦା ନାୟକ, କହିଲେ ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞ

ରାଉରକେଲା: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି ତିନି ନୂଆ ଚେହେରା । ସେମାନେ ହେଲେ ସାରଦା ନାୟକ, ବିକ୍ରମ କେଶରୀ ଆରୁଖ ଓ ସୁଦାମ ମାରାଣ୍ଡି । ତେବେ ଏମାନଙ୍କୁ କେଉଁ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ବ ମିଳିବ ତାହା ଜଣାପଡିନାହିଁ । ଆଜି (ସୋମବାର) ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ । ଏହି ତିନି ଜଣ ମନ୍ତ୍ରୀ ଭାବେ ଶପଥ ନେବେ । ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୁଖ୍ୟମନ୍ତ୍ରୀ ଅଫିସରୁ ସାରଦାଙ୍କୁ ମନ୍ତ୍ରୀ ପଦ ପାଇଁ ଫୋନ ଯିବାପରେ ରାଉରକେଲା ସହର ଉତ୍ସବ ମୁଖର ହୋଇଛି । ସାରଦା ନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ମନ୍ତ୍ରୀ ପଦ ପାଇଁ ବିଧାୟକ ସାରଦା ନାୟକଙ୍କୁ ଫୋନ ଆସିବା ପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିବାରୁ ମୁଁ କୃତଜ୍ଞ ।

କ୍ୟାବିନେଟ ପାହ୍ୟା ମିଳିବା ନେଇ ବିଧାୟକ ସାରଦା ନାୟକଙ୍କୁ ଫୋନ ଆସିବା ପରେ ସେ ପ୍ରତିକ୍ରିୟାରେ କହିଛନ୍ତି, ”ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ଓ ବିଶ୍ବାସ ପ୍ରକଟ କରିଥିବାରୁ ମୁଁ କୃତଜ୍ଞ । ରାଉରକେଲାବାସୀ ସୁନ୍ଦରଗଡବାସୀଙ୍କ ନିକଟରେ ମଧ୍ୟ କୃତଜ୍ଞ । ଯେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି ସେଠାରେ ଜନସାଧାରଣଙ୍କ ସହଯୋଗ ମିଳିଛି । କାମ କରିବାକୁ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଦାୟିତ୍ବ ମିଳିବ ତାକୁ ତୁଲାଇବା ପାଇଁ ଯଥାପ୍ରାଣ ଉଦ୍ୟମ କରିବି । ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଶେଷ ନିଶ୍ବାସ ଥିବା ଯାଏ ତୁଲାଇବାକୁ ଚେଷ୍ଟା କରିବି ।”