ଆଇପିଏଲ୍‌-୨୦୨୩: ସଂଘର୍ଷ କରି ହାରିଲା ଆର୍‌ସିବି, ସିଏସ୍‌କେ ବିଜୟ

ବେଙ୍ଗାଲୁରୁ,ଏଜେନ୍ସି: ଆଇପିଏଲ ୨୦୨୩ରେ ଆଜି ମଧ୍ୟ ଏକ ରୋମାଞ୍ଚକର ମୁକାବିଲା ଖେଳାଯାଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୨୬ ରନର ବିଶାଳ ସ୍କୋର କରିଥିଲା ଚେନ୍ନାଇ । ତେବେ ୨୨୭ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ବାଙ୍ଗାଲୋର ୨୧୮ ରନରେ ଅଟକି ଯାଇଥିଲା । ଫଳରେ ଏହି ମ୍ୟାଚକୁ ୮ ରନରେ ଜିତି ନେଇଛି ଚେନ୍ନାଇ ।

ଘରୋଇ ମୈଦାନରେ ପ୍ରଥମେ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇର ଆରମ୍ଭ ସେତେ ଭଲ ହୋଇନଥିଲା । ଷ୍ଟାର ବ୍ୟାଟର ଋତୁରାଜ ଗାଏକୱାଡ ମାତ୍ର ୩ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ କିନ୍ତୁ ଡେଭନ କନୱେ ଓ ଆଜିଙ୍କ୍ୟ ରାହାଣେ ଦୃତ ଗତିରେ ରନ ବନାଇଥିଲେ । ତେବେ ଦଳୀୟ ସ୍କୋର ୯୦ ହୋଇଥିବା ବେଳେ ୨୦ ବଲରୁ ୩୭ ରନ ସଂଗ୍ରହ କରି ହସରଙ୍ଗାଙ୍କ ଶିକାର ହୋଇଥିଲେ ରାହାଣେ । ଏହାପରେ କନୱେ ଓ ଶିବମ ଦୁବେ ଧୂଆଁଧାର ପ୍ରଦର୍ଶନ କରିଥିଲେ । ଦୁବେ ୨୭ ବଲରୁ ୨ ଚୌକା ଓ ୫ ଛକା ବଳରେ ଦୃତ ୫୨ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ ୪୫ ବଲରୁ ୮୩ ରନ ସଂଗ୍ରହ କରି ହର୍ଷଲ ପଟେଲଙ୍କ ବଲରେ ପାଭିଲିୟନ ଫେରିଥିଲେ କନୱେ । ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ୬ ବଲରୁ ୧୪ ଓ ମୋଇନ ଅଲ୍ଲୀ ୯ ବଲରୁ ଅପରାଜିତ ୧୯ ରନ ସଂଗ୍ରହ କରିଥିଲେ । ରବିନ୍ଦ୍ର ଜାଡେଜା ୮ ବଲରୁ ୧୦ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଧୋନି ୧ ରନ୍‌ କରି ଅପରାଜିତ ରହିଥିଲେ । ତେବେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଦଳ ୨୨୬ ରନର ବିଶାଳ ସ୍କୋର କରିଥିଲା ।

ଆରସିବି ପକ୍ଷରୁ ଆଜି ଶୋଚନୀୟ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦଳର ପ୍ରାୟ ସବୁ ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତେବେ ସମସ୍ତଙ୍କୁ ଗୋଟିଏ ଲେଖାଏଁ ସଫଳତା ମଧ୍ୟ ମିଳିଥିଲା । ମହମ୍ମଦ ସିରାଜ ୪ ଓଭରରୁ ୩୦ ରନ ବ୍ୟୟ କରିଥିବା ବେଳେ ୱେନି ପାର୍ନେଲ ୪ ଓଭରରୁ ୪୮ ରନ ଖର୍ଚ୍ଚ କରିଥିଲେ । ମାକ୍ସୱେଲ ୨.୪ ଓଭରରେ ୨୮ ରନ ଖର୍ଚ୍ଚ କରିଥିଲେ । ସେହିଭଳି ୱାନିନ୍ଦୁ ହସରଙ୍ଗା ୨ ଓଭରରୁ ୨୧ ଓ ହର୍ଷଲ ପଟେଲ ୩.୨ ଓଭରରୁ ୩୬ ରନ ଖର୍ଚ୍ଚ କରିଥିଲେ । ବିଜୟ କୁମାର ବୈଶକ ୪ ଓଭର ବୋଲିଂ କରି ୬୨ ରନ ଖର୍ଚ୍ଚ କରିଥିଲେ ଏବଂ ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ କରିଥିଲେ ।

ଏହାପରେ ୨୨୭ ରନର ବଡ଼ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଆରସିବି ପ୍ରଥମ ଓଭରରେ ହିଁ ବିରାଟ କୋହଲିଙ୍କୁ ହରାଇଥିଲା । ଏହାପରେ ମହିପାଲ ଲୋମରୋର ଆସି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ଏହାପରେ ଅଧିନାୟକ ଫାଫ ଡୁପ୍ଲେସିସ ଓ ଗ୍ଲେନ ମାକ୍ସୱେଲ ଧୂଆଁଧାର ବ୍ୟାଟିଂ କରିଥିଲେ । ଉଭୟ ସିଏସକେ ବୋଲରଙ୍କ ବଲକୁ ନିର୍ଧୁମ ପ୍ରହାର କରିଥିଲେ । ଉଭୟଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ମଧ୍ୟ ଦେଖିବାକୁ ମିଳିଥିଲା । ମାକ୍ସୱେଲ ୩୬ ବଲରୁ ଦୃତ ୭୬ ରନ ବନାଇ ଆଉଟ ହେବାପରେ ଅଧିନାୟକ ଡୁପ୍ଲେସିସ ମଧ୍ୟ ତୁରନ୍ତ ଆଉଟ ହୋଇଯାଇଥିଲେ । ସେ ୩୩ ବଲରୁ ୬୨ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିନେଶ କାର୍ତ୍ତିକ ୧୪ ବଲରୁ ୨୮, ଶେହବାଜ ଅହମ୍ମଦ ୧୨ ଓ ସୂୟଶ ପ୍ରଭୁଦେଶାଇଙ୍କ ୧୧ ବଲରୁ ୧୯ ରନର ପାଳି ବଳରେ ଦଳ ୨୧୮ ରନରେ ପହଞ୍ଚିଥିଲା । ତେବେ ଦଳ ବିଜୟ ଠାରୁ ଆହୁରି ୮ ରନ ପଛରେ ରହିଯାଇଥିଲା ।

ଅନ୍ୟପଟେ ସିଏସକେ ପକ୍ଷରୁ ତୁଷାର ଦେଶପାଣ୍ଡେ ୪ ଓଭରରେ ୪୫ ରନ ଖର୍ଚ୍ଚ କରି ସର୍ବାଧିକ ୩ଟି ୱିକେଟ ପାଇଥିବା ବେଳେ ଶ୍ରୀଲଙ୍କାନ ବୋଲର ମାଥିସା ପଥିରାନା ୪ ଓଭରରୁ ୪୨ ରନ ଖର୍ଚ୍ଚ କରି ୨ଟି ୱିକେଟ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକାଶ ସିଂହ, ମହୀଶ ତୀକ୍ଷାନା ଓ ମୋଇନ ଅଲ୍ଲୀ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।