ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ସୋମବାର) ନୂଆଦିଲ୍ଲୀରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହ ଜାତୀୟ ପଞ୍ଚାୟତ ପ୍ରୋତ୍ସାହନ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଗତ କିଛି ଦଶନ୍ଧିରେ ଦୃତ ସହରୀକରଣ ସତ୍ୱେ ଜନସଂଖ୍ୟାର ଅଧିକାଂଶ ଭାଗ ଏବେ ମଧ୍ୟ ଗାଁରେ ବସବାସ କରୁଛନ୍ତି । ସହରରେ ରହୁଥିବା ଲୋକମାନେ ମଧ୍ୟ କୌଣସି ନା କୌଣସି ଭାବରେ ଗାଁ ସହ ଯୋଡି ହୋଇଛନ୍ତି । ଗାଁର ବିକାଶ ଦ୍ୱାରା ହିଁ ଦେଶର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇ ପାରିବ । ରାଷ୍ଟ୍ରପତି କହିଛନ୍ତି ଯେ ଗ୍ରାମବାସୀମାନଙ୍କୁ ଏହି ନିଷ୍ପତି ନେବାରେ ସକ୍ଷମ ହେବା ଆବଶ୍ୟକ ଯେ ଗାଁର ବିକାଶ ପାଇଁ କେଉଁ ମଡେଲ ଉପଯୁକ୍ତ ଅଟେ ଏବଂ ଏହାକୁ କିଭଳି ଭାବେ ଲାଗୁ କରାଯିବା ଆବଶ୍ୟକ ।

ସେ କହିଛନ୍ତି ଯେ ପଞ୍ଚାୟତ କେବଳ ସରକାରୀ କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡିକୁ ଲାଗୁ କରିବାର ମାଧ୍ୟମ ନୁହେଁ। ବରଂ ନେତୃତ୍ୱ ପ୍ରଦାନ କରୁଥିବା ନୂଆ ନୂଆ ବ୍ୟକ୍ତିତ୍ୱ, ଯୋଜନା ପ୍ରସ୍ତୁତକର୍ତା, ନୀତି ନିର୍ଦ୍ଧାରକ ଏବଂ ନବଉନ୍ମେଷକମାନଙ୍କୁ ପ୍ରୋତ୍ସାହିତ କରିବାର ସ୍ଥାନ ମଧ୍ୟ ଅଟେ । ଗୋଟିଏ ପଞ୍ଚାୟତର ସର୍ବୋତମ ନୀତି ନିୟମଗୁଡିକୁ ଅନ୍ୟ ପଞ୍ଚାୟତଗୁଡିକ ଆପଣାଇ ଆମେ ଦୃତ ଗତିରେ ବିକାଶ କରି ପାରିବା ଏବଂ ଆମ ଗାଆଁକୁ ସମୃଦ୍ଧ କରି ପାରିବା ।

ରାଷ୍ଟ୍ରପତି କହିଥିଲେ ଯେ ସମାଜର ପ୍ରତ୍ୟେକ ସମୁଦାୟଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ପ୍ରତି ପାଞ୍ଚ ବର୍ଷରେ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିବାର ବ୍ୟବସ୍ଥା ରହିଛି । ତେବେ ଏହା ଦେଖାଯାଉଛି ଯେ ଏହି ନିର୍ବାଚନ ଅନେକ ଥର ଲୋକମାନଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରୁଛି । ନିର୍ବାଚନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ନିଜ ନିଜ ମଧ୍ୟରେ କଳହ ନ ଉପୁଜେ, ଏହି ବିଷୟକୁ ଧ୍ୟାନରେ ରଖି ପଞ୍ଚାୟତ ନିର୍ବାଚନକୁ ରାଜନୈତିକ ଦଳ ଗୁଡିକଠାରୁ ପୃଥକ ରଖାଯାଇଛି । ଯେଉଁ ସମାଜରେ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ବିଶ୍ୱାସ ରହିଥାଏ, ସେହି ସମାଜ ଅଧିକ ବିକଶିତ ହୋଇଥାଏ । ସେ କହିଛନ୍ତି ଯେ ଗ୍ରାମ ହେଉଛି ପରିବାରର ସମ୍ପ୍ରସାରିତ ରୂପ । ଯେତେଦୂର ସମ୍ଭବ ସମସ୍ତ ସାମୁହିକ କାର୍ଯ୍ୟ ପାସ୍ପରିକ ସହମତିର ଆଧାରରେ କରାଯିବା ଉଚିତ ।