ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ପ୍ରଦର୍ଶନ, ୮୧ ରନ୍‌ରେ ଲକ୍ଷ୍ନୌକୁ ପରାସ୍ତ କଲା

ଚେନ୍ନାଇ: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ବଡ଼ ବିଜୟ ସହିତ କ୍ବାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୨ ରନ କରିଥିଲା ମୁମ୍ବାଇ । ତେବେ କ୍ବାଲିଫାୟରରେ ପହଞ୍ଚିବା ପାଇଁ ୧୮୩ ରନର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମାତ୍ର ୧୦୧ ରନରେ ସମସ୍ତ ୱିକେଟ ହରାଇଛି ଲକ୍ଷ୍ନୌ । ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ଆକାଶ ମାଢୁଆଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ତେବେ ଦଳକୁ ସେ ଭଲ ଆରମ୍ଭ ଦେଇପାରିନଥିଲେ । ମାତ୍ର ୧୧ ରନ କରି ରୋହିତ ଆଉଟ ହେବାପରେ ତୁରନ୍ତ ୧୫ ରନ କରିଥିବା ଈଶାନ କିଶାନ ପାଭିଲିୟନ ଫେରିଥିଲେ । ଏହାପରେ କାମେରନ ଗ୍ରୀନ ଓ ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ଲଢ଼ିଥିଲେ । ଗ୍ରୀନ ମାତ୍ର ୨୩ ବଲରୁ ୬ ଚୌକା ଓ ଗୋଟିଏ ଛକା ବଳରେ ଦୃତ ୪୧ ରନ କରି ଆଉଟ ହୋଇଥିବା ବେଳେ ୩୩ ରନ କରି ସୂର୍ଯ୍ୟକୁମାର ଆଉଟ ହୋଇଥିଲେ ।

ସେହିଭଳି ତିଲକ ବର୍ମା ୨୬ ଓ ଟିମ ଡେଭିଡ ୧୩ ରନ କରି ପାଭିଲିୟନ ଫେରିଥିଲେ । ଶେଷ ବେଳକୁ ବଡ଼ ସଟ୍ ଖେଳି ନେହାଲ ୱାଧେରା ୧୨ ବଲରୁ ୨୩ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୮୨ରେ ପହଞ୍ଚାଇଥିଲେ ।

ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ୍ ହକ୍ ଓ ୟଶ ଠାକୁର ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଥିଲେ । ନବୀନ ୪ ଓଭରରେ ୩୮ ରନ ଖର୍ଚ୍ଚ କରି ୪ଟି ୱିକେଟ ଅକ୍ତିଆର କରିଥିଲେ । ସେହିଭଳି ୪ ଓଭରରେ ୩୪ ରନ ଖର୍ଚ୍ଚ କରିଥିବା ୟଶ ଠାକୁର ୩ଟି ୱିକେଟ ନେଇଥିଲେ । ୩ ଓଭରରୁ ୨୪ ରନ ବ୍ୟୟରେ ଗୋଟିଏ ସଫଳତା ହାତେଇଥିଲେ ମୋହସିନ ଖାନ ।

ଏହାପରେ କ୍ବାଲିଫାୟରକୁ ଉନ୍ନୀତ ହେବାପାଇଁ ଲକ୍ଷ୍ନୌକୁ ୧୮୩ ରନର ଆବଶ୍ୟକତା ରହିଥିଲା । ହେଲେ ମାତ୍ର ୩ ରନ କରି ପ୍ରେରକ ମଙ୍କଡ ଆଉଟ ହୋଇଥିଲେ । ଅଧିନାୟକ କୃଣାଲ ପାଣ୍ଡ୍ୟା ମଧ୍ୟ କେବଳ ୮ ରନ କରିପାରିଥିଲେ । ପ୍ରାରମ୍ଭିକ ବ୍ୟାଟର କାୟଲ ମାୟର୍ସ ୧୮ ରନ କରି ଆଉଟ ହେବାପରେ ଦଳୀୟ ସଂକଟ ବଢ଼ିଥିଲା । ଗୋଟିଏ ପଟେ ମାର୍କସ ଷ୍ଟୋଇନିସ ଧୂଆଁଧାର ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ୱିକେଟ ପତନ ଘଟି ଚାଲିଲା । ବ୍ୟାଟିଂ ବିପର୍ଯ୍ୟୟ ମଧ୍ୟରେ ଷ୍ଟୋଇନିସ ୨୭ ବଲରୁ ଦଳ ପାଇଁ ସର୍ବାଧିକ ୪୦ ରନ ଓ ଦୀପକ ହୁଡ୍ଡା ୧୫ ରନ କରି ଆଉଟ ହୋଇଥିଲେ । ଫଳରେ ଦଳ ୧୬.୩ ଓଭରରେ ମାତ୍ର ୧୦୧ ରନରେ ସମସ୍ତ ୱିକେଟ ହରାଇ ଏଲିମିନେଟ ହୋଇଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆକାଶ ମାଢୱାଲ ଚଳିତ ସଂସ୍କରଣର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ । ସେ ୩.୩ ଓଭର ବୋଲିଂ କରିଥିବା ବେଳେ ମାତ୍ର ୫ ରନ ବ୍ୟୟରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟପଟେ କ୍ରିସ ଜୋର୍ଦ୍ଦାନ ଓ ପୀୟୁଷ ଚାୱଲାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଦଳଗତ ପ୍ରଦର୍ଶନ ସହିତ ମୁମ୍ବାଇ କ୍ବାଲିଫାୟରରେ ପହଞ୍ଚିଛି । ଆସନ୍ତା ଶୁକ୍ରବାର ଫାଇନାଲରେ ପହଞ୍ଚିବା ପାଇଁ ଗୁଜରାଟକୁ ଭେଟିବ ଦଳ ।