ଆଜିଠୁ ଦେବଭୂମିରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡକୁ ମିଳିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଡେରାଡୁନ ଓ ଦିଲ୍ଲୀ ମଧ୍ୟରେ ଚଳାଚଳ କରିବ ଏହି ଅତ୍ୟାଧୁନିକ ଟ୍ରେନ । ଭିଡିଓ କନଫରେସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ । ପୂର୍ବରୁ କେରଳ, ଓଡିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ, ବିହାର ଓ ଝାଡଖଣ୍ଡରେ ଏହି ଅତ୍ୟାଧୁନିକ ଟ୍ରେନର ଶୁଭାରମ୍ଭ କରିଥିଲେ ମୋଦୀ । ଆଜି ଉତ୍ତରାଖଣ୍ଡରେ ଏହି ଟ୍ରେନର ଶୁଭାରମ୍ଭ ହେବାକୁ ଥିବା ବେଳେ ଯାତ୍ରୀ ମାନେ ବେଶ ଉତ୍ସାହିତ ଅଛନ୍ତି ।

ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ବିଶ୍ବ ସ୍ତରୀୟ ସୁବିଧା ସହିତ ଆରାମଦାୟକ ଯାତ୍ରାର ଅଭିଜ୍ଞତା ପାଇବେ ଉତ୍ତରାଖଣ୍ଡବାସୀ । ଏହି ଟ୍ରେନ ଯାତାୟତ କରିବା ପରେ ପର୍ଯ୍ୟଟକ ମାନେ ବିଶେଷ ଭାବରେ ଉପକୃତ ହେବେ । ସ୍ୱଦେଶୀ ଭାବରେ ନିର୍ମିତ ହୋଇଥିବା ଏହି ଟ୍ରେନରେ ଯାତ୍ରୀ ମାନେ ସୁରକ୍ଷିତ ଭାବେ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଯାତାୟତ କରିପାରିବେ ।