ମାଓ ଆକ୍ରମଣ ଯୋଜନା ପଣ୍ଡ, ୫୦ କେଜି ବିସ୍ଫୋରକ ଜବତ

ରାୟପୁର: ଛତିଶଗଡ଼ ବିଜାପୁରରେ ରାସ୍ତାରେ ସୁଡଙ୍ଗ ଖୋଳି ଆଇଇଡ଼ି ବିଛାଇଥିଲେ ନକ୍ସଲ । କୁମ୍ବିଂ ଅପରେସନରେ ନିୟୋଜିତ ଥିବା ଯବାନ ସୁଡ଼ଙ୍ଗ ଠାବ କରିବା ସହ ଏଥିରୁ ବିପୁଳ ପରମାଣର ବିସ୍ଫୋରକ ଜବତ କରିବାରେ ସଫଳ ହୋଇଛନ୍ତି । ଜବତ ବିସ୍ଫୋରକ ମଧ୍ୟରେ ଦୁଇଟି ଆଇଇଡ଼ି ଓ ପ୍ରାୟ ୫୦ କେଜିରୁ ଅଧିକ ବିସ୍ଫୋରକ ସାମଗ୍ରୀ ରହିଛି । ସ୍ଥାନୀୟ ପୋଲିସ ଓ ପାରା ମିଲାଟାରୀ ଫୋର୍ସ କୁମ୍ବିଂ ଅପରେସନ କରିବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜବତ ଆଇଇଡ଼ିକୁ ବୋମା ନିଷ୍କ୍ରିୟକାରୀ ଟିମ୍‌ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ନଷ୍ଟ ମଧ୍ୟ କରିଛନ୍ତି ।

ବିଜାପୁରର ଅବାପାଲୀ-ବାସଗୁଡା ରାସ୍ତାରେ ସୁଡଙ୍ଗ ଖୋଳାଯାଇ ଏହି ବିସ୍ଫୋରକ ଖଞ୍ଜାଯାଇଥିଲା । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ବିସ୍ଫୋରକ ନକ୍ସଲ ଲଗାଇଥିବା ବେଳେ ବଡ଼ ଧରଣର ବିପଦ ଟଳିଛି । ରାସ୍ତାରେ ଏକ ସୁଡ଼ଙ୍ଗ ଥିବା ପରି ସନ୍ଦେହ ହେବା ପରେ ସୁରକ୍ଷାକର୍ମୀ ଯାଞ୍ଚ କରିଥିଲେ । ସେଥିରେ ୮ ଫୁଟ ଲମ୍ବା-ଚଉଡ଼ା ଓ ୫ ଫୁଟ ଗଭୀରର ଏକ ବିଶାଳ ସୁଡଙ୍ଗ ଖୋଳାଯାଇଥିବା ଜଣାପଡିବା ପରେ ଆଇଡି କିମ୍ବା ଲ୍ୟାଣ୍ଡମାଇନ ଲଗାଯାଇଥିବା ସନ୍ଦେହ ବଢିଥିଲା । ସୁରକ୍ଷାବଳ ବୋମା ନିଷ୍କ୍ରୟକାରୀ ଟିମ୍‌କୁ ସୂଚନା ଦେଇଥିଲା । ସତର୍କତାମୂଳକ ଏହି ସୁଡ଼ଙ୍ଗରୁ ସମସ୍ତ ବିସ୍ଫୋରକ ଉଦ୍ଧାର କରାଯାଇଥିଲା । ୨ ଆଇଡି ଓ ଦୁଇଟି ପ୍ଲାଷ୍ଟିକ ଡ୍ରମରେ ୨୫ କେଜି ଲେଖାଏଁ ମୋଟ ୫୦ କେଜି ବିସ୍ଫୋରକ ସାମଗ୍ରୀ ଜବତ କରାଯିବା ପରେ ତାକୁ ଜଙ୍ଗଲ ମଧ୍ୟରେ ସୁରକ୍ଷିତ ନଷ୍ଟ କରାଯାଇଛି ।