ବିଜୟ ଖାତା ଖୋଲିଲା ଦିଲ୍ଲୀ, କୋଲକାତାକୁ ୪ ୱିକେଟରେ ହରାଇଲା

ନୂଆଦିଲ୍ଲୀ,ଏଜେନ୍ସି: ଖେଳାଳିଙ୍କ ମୁହିଁରେ ହସ ଫ୍ୟାନ୍ସ ବି ଖୁସି । ଲଗାତର ପଞ୍ଚମ ପରାଜୟ ଆଉ ଶେଷରେ ପ୍ରଥମ ସଫଳତା ପରେ ବିଜୟ ମନାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତ ଆଇପିଏଲର ୨୮ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୪ ୱିକେଟରେ ବିଜୟ ହାସଲ କରି ନେଇଛି ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ବିଜୟ ପାଇଁ ବ୍ୟାକୁଳ ଥିବା ଦିଲ୍ଲୀ ତାର ଷଷ୍ଠ ମ୍ୟାଚରେ ଘରୋଇ ଗ୍ରାଉଣ୍ଡରେ ବିଜୟ ହାସଲ କରି ଶେଷରେ ଖାତା ଖୋଲିଛି । ଡେଭିଡ ୱାର୍ଣ୍ଣରଙ୍କ ୫୭ ରନ ଦଳ ବିଜୟରେ ସହାୟ ହୋଇଥିଲା । ୪ ଓଭର ବୋଲିଂ କରି ୧୯ରନ ଦେଇ ୨ଟି ୱିକେଟ ହାସଲ କରିଥିବା ଇଶାନ୍ତ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ବର୍ଷା ପାଇଁ ମ୍ୟାଚ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କେକେଆର ପକ୍ଷରୁ ଜାସନ ଓ ଲିଟନ ଦାସ ପାଳି ଆରମ୍ଭ କରିଥିଲେ । ୪ ରନ କରି ଲିଟନ ସଅଳ ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା କୋଲକାତା । ଜାସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ମାତ୍ର ଅନ୍ୟ ବ୍ୟାଟର ସାଥ୍‌ ଦେଇନଥିଲେ । ୱିକେଟ ପରେ ୱିକେଟ ହରାଇ ଚାଲିଥିଲା କେକେଆର ।

ଭେଙ୍କଟେଶ ଆୟର ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ନିତିଶ ରାଣା ୪, ମନଦୀପ ସିଂହ ୧୨, ରିଙ୍କୁ ସିଂହ ୬ ଓ ସୁନିଲ ନାରାଏନ ୪ ରନ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର ୯୬ରେ ଦଳର ୯ଟି ୱିକେଟ ପତନ ହୋଇଥିଲା । ଆନ୍ଦ୍ରେ ରସଲେ ଅପରାଜିତ ରହି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ସେ ୩୧ ବଲରେ ୩୮ ରନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ କେକେଆର ୧୨୭ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା, ଅକ୍ଷର ପଟେଲ, ଆନରିଚ ନର୍ଜ ଓ କୁଳଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

୧୨୮ ରନ ଛେଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଓପନର ଡେଭିଡ ୱାର୍ଣ୍ଣର ଦମଦାର ବ୍ୟାଟିଂ କରିଥିଲେ । ୱାର୍ଣ୍ଣାର ବ୍ୟାଟିଂ କରିଥିଲେ ସୁଦ୍ଧା ପୃଥ୍ବୀ ଶ’ ୧୩, ମିଚେଲ ମାର୍ଶ ୨ ଓ ଫିଲ ସଲ୍ଡ ୩ ରନ କରି ଆଉଟ ହୋଇଥିଲେ । ୱାର୍ଣ୍ଣାର ଦର୍ଶନୀୟ ସଟ ଖେଳି ଦଳୀୟ ସ୍କୋରକୁ ୯୩ରେ ପହଞ୍ଚାଇଥିଲେ । ସେ ୪୧ ବଲରେ ୫୭ ରନ (୧୧ଟି ଚୌକା) କରିଥିଲେ । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ମନୀଷ ପାଣ୍ଡେ ୨୧ ଓ ଅମନ ଖାନ ଖାତା ଖୋଲି ନ ପାରି ଆଉଟ ହୋଇଥିଲେ ।

ଅକ୍ଷର ପଟେଲ କ୍ରିଜରେ ରହି ଦଳକୁ ବିଜୟୀ କରାଇଥିଲେ । ଦିଲ୍ଲୀ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅକ୍ଷର ପଟେଲ ୧୯ ରନ କରି ଅପରାଜିତ ରହିଥିଲେ । ନାଇଟ ରାଇଡର୍ସ ମ୍ୟାଚକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲା । କେକେଆର ପକ୍ଷରୁ ନିତିଶ ରାଣା, ଅନୁକୁଳ ରୟ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେଇଥିଲେ ।