ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ତାଲିକାରେ ଅପରାଜିତା

ଭୁବନେଶ୍ବର,ଏନ୍ଏନ୍ଏସ୍‌: ଜୋରଦାର ହେବ ଝାରସୁଗୁଡା ଉପନିର୍ବାଚନ ପ୍ରଚାର । ପ୍ରଚାର କାର୍ଯ୍ୟକୁ ଶକ୍ତି ଯୋଗାଇବେ ତାରକା ପ୍ରଚାରକ । ପ୍ରଚାରକୁ ଅଧିକ ଶାଣିତ କରିବା ପାଇଁ ଆଜି ବିଜେପି ପକ୍ଷରୁ ଜାରି ହୋଇଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ନିର୍ବାଚନ ଆୟୋଗଙ୍କୁ ଅନୁମତି ପରେ ତାଲିକା କେନ୍ଦ୍ରୀୟ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟ ସଭାପତି, ପ୍ରଭାରୀଙ୍କ ସମେତ ୪ କେନ୍ଦ୍ରମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବେ । ଦଳ ମୋଦି ସରକାରଙ୍କ ଯୋଜନାର ପ୍ରଚାର ସହ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଝାରସୁଗୁଡାରେ ମୁଦ୍ଦା କରିବ ।

ତାଲିକାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, କେନ୍ଦ୍ରମନ୍ତ୍ରୀ ବିଜୟ ପାଲସିଂ ତୋମାର, କ୍ଷେତ୍ରିୟ ପ୍ରଭାରୀ ସୁନୀଲ ବଂଶଲ, ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ କେଭି ସିଂଦେଓ ରହିଛନ୍ତି ।

ପ୍ରଥମ ଥର ଲାଗି ରାଜ୍ୟର କୌଣସି ଉପନିର୍ବାଚନର ତାରକା ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେହିପରି ସାଂସଦ ସଙ୍ଗିତା ସିଂଦେଓ, ନୀତେଶ ଗଙ୍ଗଦେବ, ବିଧାୟକ ମୋହନ ଚରଣ ମାଝୀ, ନାଉରୀ ନାଏକ, ବିଧାୟକ ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ତାରକା ତାଲିକାରେ ସାମିଲ ଅଛନ୍ତି । ବରିଷ୍ଠ ନେତା ଖାରବେଳ ସ୍ୱାଇଁ, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସଂପାଦକ ରବି ନାୟକ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ମଙ୍ଗଳ ସାହୁ, ବରିଷ୍ଠ ନେତା ତ୍ରୀନାଥ ଗୁଆଳଙ୍କ ସମେତ ୨୦୧୯ ସାଧାରଣ ନିର୍ବାଚନର ଦଳୀୟ ପ୍ରାର୍ଥୀ ଦିନେଶ ଜୈନ ପ୍ରମୁଖ ସାମିଲ ଅଛନ୍ତି ।

ଦଳ ଦୁଇଟି ପ୍ରସଙ୍ଗରେ ପ୍ରଚାର ମଇଦାନକୁ ଓହ୍ଲାଇବ । ଗୋଟେ ହେଉଛି, କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାର ଓ ଅନ୍ୟଟି ହେଉଛି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ରାଜ୍ୟ ସରକାରଙ୍କ ଦଳୀୟ ପାତର ଅନ୍ତର ନୀତି ଓ ଅପାରଗତା କାରଣରୁ ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଓଡିଶାବାସୀ । ବର୍ତମାନ ଆଇନଶୃଙ୍ଖଳା ରାଜ୍ୟରେ ମୁଖ୍ୟ ପ୍ରସଙ୍ଗ ହୋଇଥିବା କାରଣରୁ ସାଧାରଣ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । କେବଳ ଚକ୍ରାନ୍ତ ଓ ଷଡଯନ୍ତ୍ର ରଚି ସରଳ ଓ ନିରୀହ ଭୋଟରଙ୍କୁ ବିଭ୍ରାନ୍ତ କରି ଭୋଟ ସର୍ବସ୍ୱ ରାଜନୀତି କରୁଛି ଶାସକ ବିଜେଡି । ଆଗାମୀ ଝାରସୁଗୁଡା ଉପନିର୍ବାଚନ ଆଇନଶୃଙ୍ଖଳା ଓ ରାଜ୍ୟରେ ଓଡ଼ିଶାବାସୀ କିଭଳି ସୁରକ୍ଷିତ ରହିବେ ସେ ନେଇ ବିଜେପି ସାଧାରଣ ଲୋକଙ୍କ ପାଖକୁ ଯିବ ।