ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ

ମୁମ୍ବାଇ,ଏଜେନ୍ସି: ଶିଳ୍ପପତି ଗୌତମ ଆଦାମୀ ଆଜି ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ସାକ୍ଷାତ କରିଛନ୍ତି । ଆଜି ପୂର୍ବାହ୍ନରେ ଶରଦଙ୍କ ମୁମ୍ବାଇସ୍ଥିତ ବାସଭବନରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତକାର ହୋଇଛି । ପ୍ରାୟ ଦୁଇ ଘଣ୍ଟା ଧରି ଉଭୟଙ୍କ ମଧ୍ୟର ଆଲୋଚନା ହୋଇଥିଲେ ସୁଦ୍ଧା କେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଲୋଚନା ହୋଇଛି ସେନେଇ କିଛି ସ୍ପଷ୍ଟ ହୋଇନି । ମହାରାଷ୍ଟ୍ରରେ ମହାବିକାଶ ଅଗାଡି ମେଣ୍ଟରେ ସହଯୋଗୀ ଥିବା କଂଗ୍ରେସ ଏବେ ଆଦାନୀ ଷ୍ଟକ କ୍ରାସ ପ୍ରସଙ୍ଗ ଉଠାଇ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ କ୍ରମାଗତ ଟାର୍ଗେଟ କରିବାରେ ଲାଗିଛି । ଆଜି ଏହାରି ମଧ୍ୟରେ ଗୌତମ ଆଦାନୀ ଶରଦ ପାଓ୍ବାରଙ୍କ ସହ ସାକ୍ଷାତ କରିବା ପରେ ମହାବିକାଶ ଅଗାଡି ମେଣ୍ଟରେ ଅନ୍ୟତମ ସହଯୋଗୀ କଂଗ୍ରେସ ପ୍ରତିକ୍ରିୟା ଉପରେ ନଜର ରହିଛି ।

ନିକଟରେ ଶେଷ ହୋଇଥିବା ସଂସଦ ବଜେଟ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରିଥିଲା କଂଗ୍ରେସ । ଆଦାନୀ ସମୂହ ଉପରେ ହିଣ୍ଡନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ ବ୍ୟାପକ କ୍ଷତିର ସାମ୍ନା କରିଥିଲା । ବିଶ୍ବ ବିତ୍ତଶାଳୀ ବ୍ୟକ୍ତି ତାଲିକାରେ ଗୌତମ ଆଦାନୀଙ୍କ ସ୍ଥାନ କ୍ରମାଗତ ଖସିଥିଲା । ଅନ୍ୟପଟେ ମହାରାଷ୍ଟ୍ରରେ ମହାବିକାଶ ଅଗାଡି ମେଣ୍ଟରେ ସହଯୋଗୀ ଥିବା ଶରଦ ପାଓ୍ବାରଙ୍କ ପାର୍ଟି ଏନସିପି କିନ୍ତୁ ଆଦାନୀ ପ୍ରସଙ୍ଗରେ ସେପରି କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିନଥିଲା । ଏବେ ଗୌତମ ଆଦାନୀ ପାର୍ଟି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବା ପରେ ଏନସିପି ଓ କଂଗ୍ରେସର ପରବର୍ତ୍ତୀ ଆଭିମୁଖ୍ୟ ନେଇ ଅପେକ୍ଷା ରହିଛି ।

ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦନୀ ଗ୍ରୁପ ଷ୍ଟକକ୍ରାସର ସମ୍ନା କରିଥିଲା । ଆଦାନୀ ଗ୍ରୁପକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ବୀଧୀନ ବିଜେପି ସରକାର ଅହେତୁକ ଅନୁକମ୍ପା ପ୍ରଦାନ କରିଥିବା ବିରୋଧୀ ଅଭିଯୋଗ କରିଥିଲେ । କଂଗ୍ରେସ ସମେତ ଅନ୍ୟ କିଛି ରାଜନୈତିକ ବିରୋଧୀ ଦଳ ବଜେଟ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ଅଚଳାବସ୍ଥା ସୃଷ୍ଟି କରିଥିଲେ । ସରକାର ଏହି ପ୍ରସଙ୍ଗରେ ତଦନ୍ତ ପାଇଁ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରିବାକୁ କଂଗ୍ରେସ ଦାବି କରିଥିଲା । ତମାମ ଅଭିଯୋଗ ପରେ ମଧ୍ୟ ମୋଦି ସରକାର ଏହି ପ୍ରସଙ୍ଗକୁ ଅଣଦେଖା କରିବା ଓ ବିରୋଧୀଙ୍କୁ ସଂସଦରେ ପ୍ରଶ୍ନ କରିବାକୁ ଅବସର ଦେଉନଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଲୋକସଭାରେ ନରେନ୍ଦ୍ର ମୋଦି ଓ ଗୌତମ ଆଦାନୀଙ୍କ ଏକ ଫଟୋ ମଧ୍ୟ ପ୍ରଦର୍ଶିତ କରିଥିଲେ ।