ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌: ୧-୩ରେ ହାରିଲା ଭାରତ; ନେଦରଲାଣ୍ଡ୍‌ସର ଶୁଟ୍‌ଆଉଟ୍ ପ୍ରତିଶୋଧ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ରେ ଶନିବାର ନେଦରଲାଣ୍ଡ୍‌ସ ବିପକ୍ଷ ଟାଇର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଛି। ଭ୍ରମଣକାରୀ ଦଳରେ ଗତ ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ଟିମ୍‌ର ଜଣେ ବି ସଦସ୍ୟା ନ ଥିଲେ ବି ଏହି ଦଳ ଭାରତ ଉପରେ ଭାରୀ ପଡ଼ିଛି। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ କରିବା ଫଳରେ ଫଏସଲା ସକାଶେ ପେନାଲ୍‌ଟି ଶୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଭ୍ରମଣକାରୀ ନେଦରଲାଣ୍ଡ୍‌ସ ଟିମ୍ ୩-୧ରେ ବିଜୟୀ ହୋଇ ଶୁକ୍ରବାର ୧-୨ରେ ବରଣ କରିଥିବା ପରାଜୟର ଜବରଦସ୍ତ ପ୍ରତିଶୋଧ ନେଇଛି। ନେଦରଲାଣ୍ଡ୍‌ସ ତା’ର ଅଷ୍ଟମ ମୁକାବିଲାରେ ତା’ର ଦ୍ୱିତୀୟ ପେନାଲ୍‌ଟି ଶୁଟ୍‌ଆଉଟ୍ ବିଜୟ ସହ ସମୁଦାୟ ୧୯ ପଏଣ୍ଟ୍ ପାଇ ଶୀର୍ଷରେ ସ୍ଥିତିକୁ ବେଶ୍ ସୁଦୃଢ଼ କରିପାରିଛି। ଅନ୍ୟପକ୍ଷରେ ଭାରତ ୧୬ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ କାଏମ ରହିଛି।

ଶୁକ୍ରବାର ଭାରତୀୟ ଟିମ୍ ବିଜୟ ହାସଲ କରିବା ପରେ ଶନିବାର ମ୍ୟାଚ୍‌ରେ ଜବରଦସ୍ତ ମାନସିକ ଦୃଢ଼ତା ସହ ନେଦରଲାଣ୍ଡ୍‌ସର ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଅର୍ଥାତ୍ ୩୮ତମ ସେକେଣ୍ଡ୍‌ରେ ହିଁ ଗୋଲ୍ ଦେଇ ଭାରତ ପ୍ରାରମ୍ଭରୁ ଚାପ ସୃଷ୍ଟି କରିବାରେ ସକ୍ଷମ ମଧ୍ୟ ହୋଇଥିଲା। ସିନିଅର୍ ଟିମ୍ ପକ୍ଷରୁ କେବଳ ନିଜର ଚତୁର୍ଥ ମ୍ୟାଚ୍ ଖେଳୁଥିବା ରାଜବିନ୍ଦର କୌର୍ ଦଳକୁ ମିଳିଥିବା କ୍ରମାଗତ ପେନାଲ୍‌ଟି କର୍ଣ୍ଣର୍‌ରୁ ଏହି ଗୋଲ୍‌ଟି ଦେଇ ଘରୋଇ ଦଳକୁ ୧-୦ରେ ଆଗୁଆ କରାଇଥିଲେ। କିନ୍ତୁ ଏହି ଗୋଲ୍ ପରେ ନେଦରଲାଣ୍ଡ୍‌ସ ଟିମ୍ ସ୍ଥିତିକୁ ବରାବର କରିବା ସକାଶେ ନୂଆ ଜୋଶ୍‌ରେ ଥିବା ପରି ମନେ ହୋଇଥିଲା। ଭୀଷଣ ଗରମ ଅନୁଭୂତ ହେଉଥିବାରୁ ପ୍ରଥମ କ୍ୱାର୍ଟର୍ ଆରମ୍ଭ ହେବାର କିଛି ସମୟ ପରେ ପଡ଼ିଆରେ ପାଣି ସ୍ପ୍ରେ କରାଯାଇଥିଲା। ଏହି ବ୍ରେକ୍ ପରେ ପ୍ରଥମ କ୍ୱାର୍ଟର୍ ଶେଷ ହେବାକୁ ଆଉ ମାତ୍ର ୨ ମିନିଟ୍ ବାକି ଥିବା ବେଳେ ନେଦରଲଶଣ୍ଡ୍‌ସ ଏକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ସୌଭାଗ୍ୟବଶତଃ ଭାରତ ଏଥିରୁ ବର୍ତ୍ତିଯାଇଥିଲା। ଦ୍ୱିତୀୟ କ୍ୱାର୍ଟର୍‌ରେ ମଧ୍ୟ ନେଦରଲାଣ୍ଡ୍‌ସ ଖେଳାଳିମାନେ ଭାରତୀୟ ଦଳର ଅଧିନାୟିକା ତଥା ଗୋଲକିପର୍ ସବିତାଙ୍କ ଉପରେ ଭରପୂର ଚାପ ପ୍ରୟୋଗ କରିଥିଲେ। ଅବଶ୍ୟ ସବିତା ୩ଟି ଗୋଲ୍ ବଞ୍ଚାଇ ଦଳର ଅଗ୍ରଣୀକୁ କାଏମ ରଖିଥିଲେ। ତୃତୀୟ କ୍ୱାର୍ଟର୍‌ରେ ଉଭୟ ଦଳ ବିଶେଷ କିଛି ସୁଯୋଗ ସୃଷ୍ଟି କରିପାରି ନଥିଲେ।

ଅତ୍ୟଧିକ ଗରମ ଯୋଗୁଁ ଏହି କ୍ୱାର୍ଟର୍‌ରେ ଜଳପାନ ବିରତି ନିଆଯାଇଥିଲା। ଶେଷ କ୍ୱାର୍ଟର୍‌ରେ ଖେଳ ସାଢ଼େ ୭ ମିନିଟ୍ ବାକି ଥିବା ବେଳେ ପୁଣିଥରେ ଜଳପାନ ବିରତି ହୋଇଥିଲା। ଏହାର ପରେ ପରେ ନେଦରଲାଣ୍ଡ୍‌ସ ସ୍ଥିତିକୁ ବରାବର କରିବାରେ ସକ୍ଷମ ହୋଇଥିଲା। ୫୩ତମ ମିନିଟ୍‌ରେ ୟିବି ଜାନସନ୍ ଦଳକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣର୍‌ରୁ ଏହି ଗୋଲ୍‌ଟି ସ୍କୋର୍ କରିଥିଲେ। ସେହିପରି ଶୁଟ୍‌ଆଉଟ୍‌ରେ ନେଦରଲାଣ୍ଡ୍‌ସ ପକ୍ଷରୁ ମାରେଣ୍ଟି ବାରେଣ୍ଟସନ୍‌, କାଇରା ଫୋର୍ଟୁନ୍ ଓ ଜାନସନ୍ ଗୋଲ୍ ଦେଇଥିବା ବେଳେ ଭାରତ ପକ୍ଷରୁ ବେଳ ନବନୀତ୍ କୌର୍ ଗୋଲ୍ ଦେବାରେ ସକ୍ଷମ ହୋଇଥିଲେ। ଏଥିସହ କଳିଙ୍ଗ ଷ୍ଟାଡିୟମ୍‌ରେ ମହିଳା ଦଳର ଅଭିଯାନ ଶେଷ ହୋଇଥିବା ବେଳେ ପୁରୁଷ ଦଳ ଆସନ୍ତା ୧୪ ଓ ୧୫ ତାରିଖରେ ଜର୍ମାନୀ ବିପକ୍ଷରେ ଖେଳିବ।