ନିତିଦିନ ପ୍ରଭାବ: ମୃତବ୍ୟକ୍ତିଙ୍କ ନାଁରେ ଜବ କାର୍ଡ ଓ ଟଙ୍କା ଉଠାଣ ଘଟଣାର ତଦନ୍ତ ଆରମ୍ଭ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତରେ ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଜବ କାର୍ଡ କରି ଟଙ୍କା ଉଠାଣ ହୋଇଥିବା ନେଇ ଗତ ୨୭/୬ ତାରିଖରୁ ଲଗାତାର ଭାବରେ ନିତିଦିନ ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା। ପରେ ବିଡିଓ ଚନ୍ଦ୍ରମଣି ନାଗଙ୍କ ନିର୍ଦ୍ଦେଶ କ୍ରମରେ ଏନେଇ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ତଦନ୍ତ କରିବା ପାଇଁ ବଲାଙ୍ଗିର ଡିଆରଡିଏ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପରେ ଆଜି ଡିଆରଡିଏର ସଚିତା ନନ୍ଦ ହନୁମାନ, ସତ୍ୟନାରାୟଣ ମହାନ୍ତି, ଏପିଓ ବନଜାବାସିନୀ ଦାସ ପ୍ରମୁଖ ଏକ ଟିମ ଆସି ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରଥମେ କରମତଲା ପଞ୍ଚାୟତ କାର୍ଯ୍ୟଳୟକୁ ଯାଇ ସରପଞ୍ଚ ତିଲୋତମା ବାଗ, ଜିଆର୍‌ଏସ୍‌ ପ୍ରଦୀପ ମହାକୁରଙ୍କ ଉପସ୍ଥିତରେ ପଚାରାଉଚରା କରିଥିଲେ। ପରେ ଯେଉଁ ସ୍ଥାନରେ ଠିକାଦାର ଜଣକ କାମ କରୁଥିଲେ ସେହି ସ୍ଥାନକୁ ଯାଇ କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ। କିନ୍ତୁ ଆମ ପ୍ରତିନିଧି ଖବର ପାଇବା ପରେ ତଦନ୍ତ କରାଯାଉ ଥିବାର ସ୍ଥାନକୁ ପହଞ୍ଚି ଥିବା ବେଳେ ଖବର ପ୍ରସାରଣ ନକରିବା ପାଇଁ ପଞ୍ଚାୟତ ପ୍ରଶାସନ ବାରଣ କରିଥିଲେ। ତେବେ କେତେ ଯେ ଦୁର୍ନିତୀ ହୋଇଥିବ ତାହାର ତଦନ୍ତ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଜାରି ରହିଥିବା ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି।

ସୂଚନା ମତେ, କରମତଲା ପଞ୍ଚାୟତ ଲିମପଡା ନିକଟସ୍ଥ ମୁଗୁରମୁଣ୍ଡା ପୋଖରୀର ଉନ୍ନତି କରଣ ପାଇଁ ୨୦୨୧-୨୨ ମସିହାରେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି କାମକୁ ଗାଁ ସାଥି କିମ୍ବା ପଞ୍ଚାୟତ ପ୍ରଶାସନ ନିଜେ ନକରି କିଛି ଟଙ୍କାରେ କାମକୁ ବିକ୍ରି କରି ନିଜ ଅଞ୍ଚଳର ଜଣେ ଠିକାଦାରଙ୍କ ଜରିଆରେ କରାଯାଇଛି। କାମର କୌଣସି ସୂଚନା ଫଳକ ନଥିବା ବେଳେ ଆହୁରି ସନ୍ଦେହ ସୃଷ୍ଟି ହୋଇଥିଲା।୫୨୩ ଶ୍ରମ ଦିବସ ସୃଷ୍ଟି କରି ୧ ଲକ୍ଷ ୧୭ ହଜାର ୨୧୬ ଟଙ୍କା ଜବ କାର୍ଡଧାରୀ ବିଭିନ୍ନ ଶ୍ରମିକଙ୍କ ବ୍ୟାଙ୍କ ଖାତାରେ ଗତ ୨୭ ମଇ ୨୦୨୨ ତାରିଖ ଦିନ ଜମା ହୋଇଛି। କିନ୍ତୁ ଦୁଃଖର ବିଷୟ ମୃତ ବ୍ୟକ୍ତିଙ୍କ ନାମରେ ଟଙ୍କା ଜମା ହୋଇଥିବା ବେଳେ ଏହା ଆଲୋଚନାର ବିଷୟ ପାଲଟିଥିଲା। ଲିମପଡା ଗ୍ରାମର ସାରଦା ରଣାଙ୍କ ସ୍ତ୍ରୀ ଫଟୁ ରଣା ଦେଢ଼ ବର୍ଷ ତଳେ ପ୍ରାଣ ହରାଇଛନ୍ତି। କିନ୍ତୁ ତାଙ୍କର ନାମରେ ମଧ୍ୟ ଜବକାର୍ଡ ତିଆରି କରି ଏଥିରେ କାମ କରିଥିବା ଦର୍ଶାଯାଇଛି।

ମୃତ ଫଟୁ ରଣା ପୋଖରୀର ଉନ୍ନତି କରଣ ପାଇଁ ଦୁଇ ସପ୍ତାହ କାମ କରିଥିବା ଦର୍ଶାଇ ୨୬୬୪ ଟଙ୍କା ପାଉଣା ସଇଁନ୍ତଲା ସ୍ଥିତ ୟୁନିୟନ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆରେ ଥିବା ପାସ୍‌ବୁକ୍‌ରେ ଜମା ହୋଇଛି। କିନ୍ତୁ ୨୦ରୁ ୨୫ ହଜାର ଭିତରେ କାମ ହୋଇଥିବା ବେଳେ ଲକ୍ଷେ ଟଙ୍କା ଉଠାଯାଇଛି। ଶ୍ରମିକ କାମ କରୁନଥିବା ବେଳେ ହଜାର ହଜାର ଟଙ୍କା ତାଙ୍କର ନାଁରେ ଉଠୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ପଞ୍ଚାୟତରେ ବ୍ୟାପକ ଦୁର୍ନିତୀ ମନରେଗା କାମରେ ବାରମ୍ବାର ହେଉଥିବା ବେଳେ ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ପ୍ରଶାସନ ଘଟଣାକୁ ଚପେଇ ଦେବ ନା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା।