ଜନନୀ ଯନ୍ତ୍ରଣା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ

  • ପାଟଣା, ଏନଏନଏସ: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଡୁମୁରିଆ ପଞ୍ଚାୟତର ବଣ ମହୁଲଡିହା ଗ୍ରାମର ଦଲକୀ ସାହିରେ ଶନିବାର ଜନନୀ ଯନ୍ତ୍ରଣା ଖବର ପ୍ରକାଶ ପାଇଥିଲା। ଘଟଣା ତଦନ୍ତ କରିବା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଅଶୋକ ଦାସ ଘଟଣା ତଦନ୍ତ କରିବାକୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ଡ. ଶୁଭେନ୍ଦୁ ସାଗର କୁମାର ନାଏକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପରେ ଡ. ଶ୍ରୀ ନାଏକ ଏବଂ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସରୋଜିନୀ ସେଠୀ ରବିବାର ଉକ୍ତ ସାହିକୁ ତଦନ୍ତ ପାଇଁ ଯାଇଥିବାବେଳେ ସାହିକୁ ରାସ୍ତା ନଥିବାରୁ ମେଡିକାଲ ଟିମ୍ ଗାଡି ଯାଇ ପାରିନଥିଲା। ଫଳରେ ଉଭୟ ଚାଲି ଚାଲି ଯାଇ ଘଟଣାର ତଦନ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ଉକ୍ତ ସାହିର ସୌମେନ୍ଦ୍ର ମାଝୀଙ୍କ ପତ୍ନୀ ପାର୍ବତୀ ମାଝୀଙ୍କ ପ୍ରସବ ଯନ୍ତ୍ରଣା ଯୋଗୁଁ ପରିବାର ଓ ସ୍ଥାନୀୟ ଆଶା କର୍ମୀ ମଞ୍ଜୁଲତା ସେଠୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ୧୦୨ ଆସିବା ପରେ ଉକ୍ତ ସାହିକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା। ଫଳରେ ସ୍ଥାନୀୟ ଆଶା କର୍ମୀ ମଞ୍ଜୁଲତା ସେଠୀ ଓ ଆମ୍ବୁଲାନ୍ସ ଡ୍ରାଇଭର ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜି ୪ କିମି ପାଦରେ ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଆଣି ପ୍ରଥମେ ପାଟଣା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କାରିଥିଲେ।