ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେଲେ ନବଜୋତ ସିଂହ ସିଦ୍ଧୁ

  • ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବର କଂଗ୍ରେସ ମୁଖ୍ୟ କରିବାକୁ ଘୋଷଣା କରାଯାଇଛି। ୪ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ମଧ୍ୟ ଚୟନ କରାଯାଇଛି। କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ସଂଗତ ସିଂ ଗିଲଜନ, ସୁଖବିନ୍ଦର ସିଂ ଡାନି, ପୱନ ଗୋୟଲ ଏବଂ କୁଲଜିତ ସିଂ ନାଗ୍ରା ରହିବେ। କଂଗ୍ରେସ ହାଇକମାଣ୍ଡର ଏହି ଘୋଷଣା କରିଥିବାବେଳେ ଏହାପୂର୍ବରୁ ସିଦ୍ଧୁ କଂଗ୍ରେସ ବିଧାୟକ ଏବଂ ନେତାମାନଙ୍କୁ ଭେଟି ନିଜର ଶକ୍ତି ବୃଦ୍ଧି କରିବାରେ ବ୍ୟସ୍ତ ଥିଲେ।
    ସୂଚନା ଥାଉ କି, କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ପଞ୍ଜାବରେ ନବଜୋତ ସିଂ ସିଦ୍ଧୁଙ୍କୁ ସୁନୀଲ ଜାଖଡ଼ଙ୍କ ସ୍ଥାନରେ ନୂତନ ରାଜ୍ୟ ସଭାପତି କରାଯାଇଛି। ନବଜୋତ ସିଂ ନିକଟରେ ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଥିଲେ।
    ସେବେଠାରୁ ତାଙ୍କୁ ଦଳର ପଞ୍ଜାବ ଅଧ୍ୟକ୍ଷ କରିବା ନେଇ ଚର୍ଚ୍ଚା ହେଉଥିଲା। ସିଦ୍ଧୁଙ୍କୁ ରାଜ୍ୟ ସଭାପତି କରିବା ନେଇ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ନିର୍ବାଚନ ପୂର୍ବରୁ ଏଭଳି ପରିବର୍ତ୍ତନ ରାଜ୍ୟରେ ଦଳକୁ କ୍ଷତି ପହଞ୍ଚାଇବ।