ଆନ୍ତରାଜ୍ୟ ଗଞ୍ଜେଇ ଚୋରା ଚାଲାଣ, ୫ ଗିରଫ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ପୁଲିସ ଟିମ୍ ପେଟ୍ରୋଲିଂ ସମୟରେ ୫ ଜଣ ଆନ୍ତରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ରାଜନେଶ ସିଂ(୩୦), ପୁଷ୍ପେନ୍ଦୁ ସିଂ ଭାଟି(୩୦) ଏବଂ କେରଳରୁ ରଣଜିତ ଏମ(୩୦), ଆଲିବିନ ସାଜି(୨୩) ଓ ମହମ୍ମଦ ସୋହେଲ(୨୩) । ଅଭିଯୁକ୍ତଙ୍କଠାରୁ ୬ଟି ବ୍ୟାଗରେ ଥିବା ୨୮.୪କେଜି ଗଞ୍ଜେଇ, ୬ଟି ମୋବାଇଲ ଓ ନଗଦ ୩,୦୯୦ଟଙ୍କା ଜବତ କରିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ମୁନିଗୁଡ଼ା ଥାନା ସେକେଣ୍ଡ ଅଫିସର ମନୋରଞ୍ଜନ ବିଶ୍ୱାଳ, ହାବିଲଦାର ଗୌରଚନ୍ଦ୍ର ପଣ୍ଡା, କନେଷ୍ଟବଳ ପ୍ରଫୁଲ୍ଲ କୁମାର ପତି, ଓଏପିଏଫ୍ କୁମୁଦନ ନାୟକ ଓ ଧନପତି କୁମ୍ବିରିକା ପେଟ୍ରୋଲିଂ କରୁଥିବା ସମୟରେ ୫ଜଣ ସନ୍ଦିଘ୍ନ ଯୁବକ ୬ଟି ବ୍ୟାଗ ଧରି ମୁନିଗୁଡ଼ା ବସ୍‌ଷ୍ଟାଣ୍ଡରୁ ରେଲୱେ ଷ୍ଟେସନକୁ ଯାଉଥିବାର ଦେଖିଥିଲେ । ସନ୍ଦେହ ହେବାରୁ ଏହି ୫ ଜଣଙ୍କୁ ପୁଲିସ ପିଛା କରି ଷ୍ଟେସନ ପାଖରୁ କାବୁ କରିନେଇଥିଲେ । ଥାନାକୁ ଆଣି ପଚରାଉଚୁରା ସମୟରେ ଅଭିଯୁକ୍ତମାନେ ଗଞ୍ଜେଇ କେଉଁଠୁ ଆଣିଛନ୍ତି ତାହା କହିନଥିଲେ । ଅଜୟ ବୋଲି ଜଣେ ଯୁବକଠାରୁ ସେମାନେ ଏହା ପାଇଥିବା ଏତିକି ମାତ୍ର ଜଣାଇଛନ୍ତି । ମୁନିଗୁଡ଼ା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ମୁନିଗୁଡ଼ା ଆଇଆଇସି ସୌଦାମିନୀ ବେହେରା ସୂଚନା ଦେଇଛନ୍ତି ।