ମୁନିଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାର ମୁନିଗୁଡା ସ୍ଥିତ ସୁଭଦ୍ରା ଉଦ୍ଧବ ଷୌଣ୍ଡିକ ମଙ୍ଗଳ ଭବନ ପରିସରରେ ଆଜି ଷଷ୍ଠ ବାର୍ଷିକ ଅନ୍ତର୍ଜାତୀୟ ଯୋଗ ଦିବସ ସଫଳତାର ସହ ପାଳିତ ହୋଇଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହାୟତା, ଇଣ୍ଟରନ୍ୟାଶନାଲ ନେଚରପ୍ୟାଥି ଅର୍ଗାନାଇଜେସନ ଏବଂ ସୂର୍ଯ୍ୟା ଫାଉଣ୍ଡେସନର ମିଳିତ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିଲ।।

ଯୋଗ ଶିବିରରେ ସକାଳ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ଏକ ଘଣ୍ଟା ବ୍ୟାପି ସ୍ୱାସ୍ଥ୍ୟ କର୍ମୀମାନେ ଯୋଗାସନ କରିଥିଲେ। ଏହି ଅବସରରେ ଆଇଏନଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନନ୍ତ ବିରାଦାର, ରାଜ୍ୟ ସମନ୍ୱୟିକା ସୁଜାତା ପଣ୍ଡା, ରାଜ୍ୟ ସଭାପତି ଶ୍ରୀ ଗୁରୁଚରଣ ଜେନା, ଉପସଭାପତି ଗୌରାଙ୍ଗ ଚରଣ ରାଉତ, ଦକ୍ଷିଣ ପ୍ରାନ୍ତ ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଯୋଗାଚାର୍ଯ୍ୟ ଡ. ହରିଭାଇ ଆର୍ଯ୍ୟନ ଏବଂ ଜିଲ୍ଲା ସଂଯୋଜିକା ପଦ୍ମାବତୀ କରଙ୍କ ମାର୍ଗ ଦର୍ଶନ ଓ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜନ ହୋଇଥିଲା। ଏହି ଯୋଗାଭ୍ୟାସ ସମୟରେ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିଲା।

ସେହିଭଳି ଝିଲିଗୁଡ଼ାରେ ସିଆରପିଏଫର ୮ମ ବାଟାଲିୟନର ଯବାନ ଓ ମୁନିଗୁଡା ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ସଙ୍ଘ ପରିବାର ତରଫରୁ ଯୋଗ ଦିବସ ପାଳନ ହୋଇଥିଲା। ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ଲୋକେ ଘରେ ରହି ପରିବାର ସହ ଯୋଗ ଅଭ୍ୟାସ କରିଥିଲେ।