ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଟାଉନହଲ ଠାରେ ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରିଣୀ ସ୍ୱର୍ଣ୍ଣଲତା ବିଶ୍ୱାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ସମ୍ମାନିତ ଅତିଥି ଭାବେ କଣ୍ଢଳ କଲେଜର ଅଧ୍ୟକ୍ଷା ରଞ୍ଜିତା ନନ୍ଦ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଓ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟା ଜ୍ୟୋତ୍ସ୍ନାରାଣୀ ମିଶ୍ର ପ୍ରମୁଖ ଯୋଗଦେଇ ମହିଳା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାରେ ବାଲ୍ୟ ବିବାହ ରୋକିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରିଆମାଳ ବିଡିଓ ଦିବ୍ୟଶଙ୍କର ଜୟପୁରିଆ, ବାରକୋଟ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ପ୍ରବୀଣା ମିଶ୍ର ଓ ବାରକୋଟ ବିଡିଓ ଟୁନୁ ମେହେରଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଜିଲ୍ଲାରେ ଶିଶୁଙ୍କ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ କଟାସର ମନ୍ଦିର କମିଟି ମୁଖ୍ୟ ଇଂ. ଚିତ୍ତରଞ୍ଜନ ପ୍ରଧାନ, ଗୋକେନେଶ୍ୱର ମନ୍ଦିର କମିଟି ସଦସ୍ୟ ଓ ସ୍ୱେଚ୍ଛାସେବୀ ସଂଗଠନ ସଖୀ ଓ ସପୋର୍ଟ ପାଇଁ ସେମ ହେମ୍ବ୍ରମଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିପରି ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମାହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମହିଳା ଦିବସ କାର୍ଯ୍ୟକ୍ରମରେ ସୁସ୍ଥ ସମାଜ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମାହାନ୍ତ ପ୍ରକାଶ କରିଛନ୍ତି। ଏଥି ସହ ଲିଙ୍ଗଗତ ତାରତାମ୍ୟକୁ ପଛରେ ପକାଇ ମହିଳାମାନେ ସାରା ବିଶ୍ୱରେ ନିଜର କୃତିତ୍ୱ ପ୍ରତିପାଦନ କରିପାରିଥିବାରୁ ଆଜି ଦିବସରେ ସମସ୍ତ ମହିଳା ସବୁ ପରିସ୍ଥିତିର ମୁକାବିଲା ପାଇଁ ସକ୍ଷମ ଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲ୍ଲାରେ କାର୍ଯ୍ୟରତ ବିଭାଗୀୟ ୬ ଜଣ ମହିଳା କର୍ମଚାରୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ରବି ନାରାୟଣ ସି, ଉପଖଣ୍ଡ ଆରକ୍ଷୀ ଅଧ୍ୟୀକ୍ଷକ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଆଇବି ଡିଏସପି ପ୍ରଦୀପ କେରକେଟା, ଇନ୍ସପେକ୍ଟର ସୁରେନ୍ଦ୍ର କୁମାର ନାୟକ, ମଳୟ କୁମାର ନାୟକ ଓ ନିରୁପମା ଜେନାଙ୍କ ସମେତ ବହୁ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
