ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀଙ୍କ ସମେତ ଅନେକ ମହିଳା ସାଂସଦ ସଂସଦରେ ମହିଳାଙ୍କ ଲାଗି ୫୦ ପ୍ରତିଶତ ଆରକ୍ଷଣ ଦାବି କରଛନ୍ତି। ମହିଳାଙ୍କ ପ୍ରସଙ୍ଗ ଚର୍ଚ୍ଚା ହେବା ସମୟରେ ସେମାନଙ୍କ ହିତ ଲାଗି ମୋଦୀ ସରକାର ଅନେକ କାମ କରିଥିବା ବିଜେପି ସାଂସଦ କହିଛନ୍ତି। ରାଜୀବ ଗାନ୍ଧୀ ମଧ୍ୟ ଦେଶର ମହିଳାଙ୍କ ଲାଗି ଅନେକ କାମ କରିଥିବା କଂଗ୍ରେସ କହିଛି।
ଆଜି ସଂସଦରେ ବଜେଟ ଅଧିବେସନ ଆରମ୍ଭ ହେବା ମାତ୍ରକେ ସର୍ବପ୍ରଥମେ ମହିଳାଙ୍କୁ କହିବାର ସୁଯୋଗ ଦିଆଯାଇଥିଲା। ଏହି ସମୟରେ ବିଜେପି ସାଂସଦ ସରୋଜ ପାଣ୍ଡେ କହିଛନ୍ତି ଯେ, ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ମହିଳାମାନେ ସଶକ୍ତ ହୋଇଛନ୍ତି। ମୋଦୀ ସରକାର ‘ବେଟି ପଢ଼ାଓ ଏବଂ ବେଟି ବଚାଓ’ ଆରମ୍ଭ କରିବା ଦ୍ୱାରା ମହିଳାଙ୍କ ସ୍ଥିତିରେ ସୁଧାର ଆସିଛି। ଅନ୍ୟପଟେ ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ କହିଛନ୍ତି ଯେ, ୨୪ ବର୍ଷ ପୂର୍ବରୁ ଆମେ ସଂସଦରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ଆରକ୍ଷଣର ପ୍ରସ୍ତାବ ରଖିଥିଲୁ। ୨୪ ବର୍ଷ ପରେ ଆମକୁ ସଂସଦ ଓ ବିଧାନସଭାରେ ୫୦ ପ୍ରତିଶତ ସଂରକ୍ଷଣ ଦେବା ଉଚିତ।