ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ,ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଗାନ୍ଧୀଛକରୁ ମା’ ଭଣ୍ଡାର ଘରଣୀ ମନ୍ଦିର ପର୍ଯ୍ୟନ୍ତ ଏକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ, ଜିଲ୍ଲା କ୍ରୀଡ଼ା ଅଧିକାରୀମହେନ୍ଦ୍ର କୁମାର ସାହୁ ଓ ସଂସ୍କୃତି ଅଧିକାରୀ ଘାଷୀଆ ହରିଜନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସାଇ କଲ୍ୟାଣ ମଣ୍ଡପରେ ଏକ ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ଏଥିରେ ପଞ୍ଜିକୃତ ହୋଇଥିବା ୨୩୫ଜଣ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ରକ୍ତଚାପ, ମଧୁମେହ, ଆଖି, ଇସିଜି ଓ ଆଣ୍ଠୁଗଣ୍ଠିଜନିତ ସମସ୍ୟା ଇତ୍ୟାଦି ପରୀକ୍ଷା କରାଯାଇ ମାଗଣାରେ ଔଷଦ ଦିଆଯାଇଥିଲା । ଏହି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ ସଭାର ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଯୋଗଦେଇ ସମସ୍ତ ବରିଷ୍ଠ ନାଗରିକଙ୍କ ସୁସ୍ଥ ଓ ନିରୋଗ ଜୀବନ ପାଇଁ କାମନା କରିଥିଲେ । ଏଥିରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।